ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଥିଲା, ତା’ପରେ ଦେଶରେ ୬୮ ଦିନର ଲକଡାଉନ୍ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନରେ ୨୦୨୦, ୨୨ ମାର୍ଚ୍ଚର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାରା ଦେଶରେ ଜନତା କର୍ଫ୍ୟୁ ଜାରି କରାଯାଇଥିଲା । କରୋନା ମହାମାରୀକୁ ମାତ୍ ଦେବା ପାଇଁ ଲୋକମାନେ ସ୍ୱେଚ୍ଛାକୃତ ଭାବରେ ଘରୁ ବାହାରକୁ ନଯିବାକୁ ନିଷ୍ପତ୍ତି ନେଇଥିଲେ । ଲକଡାଉନ ପରେ, ଏମିତି ଲାଗୁଥିଲା ଯେପରି ଜୀବନର ଗତି ହୋଇଯାଇଛି ଠପ୍ । ନିର୍ଜନ ରାସ୍ତା, ଦୋକାନ ବଜାରରେ ତାଲା, ସବୁଠି ନୀରବତା । କରୋନା ସମୟରେ ଲାଗୁ ହୋଇଥିବା ଏହି ଲକଡାଉନ୍ କିଛି ମାସ ଧରି ରହିଥିଲା ବଲବତ୍ତର ।
୨୨ ମାର୍ଚ୍ଚ ୨୦୨୦ରେ, ‘ଜନତା କର୍ଫ୍ୟୁ’କୁ ଦେଶବ୍ୟାପୀ ଲୋକଙ୍କଠାରୁ ବିପୁଳ ସମର୍ଥନ ମିଳିଥିଲା। ରାସ୍ତାଗୁଡ଼ିକ ଖାଲି ଥିଲା, ଦୋକାନ, କାର୍ଯ୍ୟାଳୟ ଏବଂ ସାଧାରଣ ପରିବହନ ସବୁ ବନ୍ଦ ଥିଲା। ଲୋକମାନେ ସ୍ୱେଚ୍ଛାକୃତ ଭାବରେ ଘରେ ରହି ଏହି ପଦକ୍ଷେପକୁ ସଫଳ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ଆଉ ଗୋଟିଏ କଥା କହିଥିଲେ । ସେ କହିଥିଲେ ଯେ ସନ୍ଧ୍ୟା ୫ଟାରେ ସମସ୍ତେ ନିଜ ଘରର ବାଲକୋନି କିମ୍ବା ଦ୍ୱାରରେ ଠିଆ ହୋଇ ସ୍ୱାସ୍ଥ୍ୟ ସେବା ଓ ଅତ୍ୟାବଶ୍ୟକ କାର୍ଯ୍ୟରେ ଜଡିତ ଲୋକଙ୍କୁ ତାଳି ବଜାଇ, ଥାଳି ବଜାଇ କିମ୍ବା ଘଣ୍ଟି ବଜାଇ ଧନ୍ୟବାଦ ଦିଅନ୍ତୁ । ଲୋକମାନେ ତାଙ୍କ କଥା ଶୁଣିଲେ ଏବଂ ବହୁତ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କଲେ ।