ଆଜି ଜାଗର । ଦେବାଦି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ। ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ। ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ୱରଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମିଛି । କେତକୀ ଫୁଲରେ ସଜେଇ ହୋଇ ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ବଲାଙ୍ଗୀରର ହରିଶଙ୍କର, ଢେଙ୍କାନାଳର କପିଳାସ, ଆରଡ଼ିର ଆଖଣ୍ଡଳମଣି, କୋରାପୁଟର ଗୁପ୍ତେଶ୍ବର ପୀଠ ସମେତ ରାଜ୍ୟର ସମସ୍ତ ଶୈବପୀଠରେ ମହାଶିବରାତ୍ରୀ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ସେପଟେ ଜାଗର ପାଇଁ ଶ୍ରୀ ଲିଙ୍ଗରାଜ ମନ୍ଦିର ରେ ଭକ୍ତଙ୍କ ପ୍ରବଳ ଭିଡ଼ ।
ମନ୍ଦିର ମୁଖ୍ୟ ଫାଟକ ଠାରୁ ଆରମ୍ଭ ହୋଇ ବଢେଇବାଙ୍କ ଛକ ପର୍ୟ୍ୟନ୍ତ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାଇ ଭୋର ୩ଟା ୩୦ରେ ପ୍ରଭୁ ଲିଙ୍ଗରାଜ ଙ୍କ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଛି । ସକାଳ ୩ ରୁ ୩.୩୦ ପର୍ୟ୍ୟନ୍ତ ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ଅନୁଷ୍ଠିତ ହୋଇଛି । ଭକ୍ତଙ୍କ ପ୍ରବଳ ସମାଗମ କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସକାଳୁ ମନ୍ଦିରରେ ପହଞ୍ଚି ସୁରକ୍ଷା ଦାୟିତ୍ଵ ର ତଦାରଖ କରିଛନ୍ତି ଦୁଇ ଡିସିପି ଜଗମୋହନ ମିନ୍ନା ଓ ପିନାକ ମିଶ୍ର । ସୁରକ୍ଷା ଦାୟିତ୍ବରେ ମୁତୟନ ଅଛନ୍ତି ୪୮ ପ୍ଲାଟୁନ ଫୋର୍ସ ।