ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ପହଞ୍ଚତ୍ ମହାକୁମ୍ଭ ମେଳା ପରିଦର୍ଶନ କରିବା ସହ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାକୁମ୍ଭରେ ଦଳାଚକଟା ଅଘଟଣକୁ ନେଇ ବିବାଦ ଲାଗି ରହିଥିବା ବେଳେ ମୋଦି ବୁଡ଼ ପକାଇବାକୁ ଯାଉଥିବା ବେଶ ଗୁରୁତ୍ବପୂର୍ଣ୍ଣ ।
ସେହିପରି ମହାକୁମ୍ଭ ମେଳାରେ ସକାଳ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ସମୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି । ସଙ୍ଗମରେ ବୁଡ଼ ପକାଇବା ପରେ ପିଏମ୍ ମୋଦି ୧୧ଟା ୪୫ରେ ଡଙ୍ଗାରେ ବସି ଅରେଲ ଘାଟ ଫେରିବେ । ଏଠାରୁ ସେ ଡିପିଏସ୍ ହେଲିପ୍ୟାଡ୍ ହୋଇ ପ୍ରୟାଗରାଜ ଏୟାରପୋର୍ଟରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ଦ୍ୱିପ୍ରହର ୧୨ଟା ୩୦ରେ ବାୟୁସେନାର ବିମାନ ଯୋଗେ ପ୍ରୟାଗରାଜରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନିଜର ପ୍ରତିଶ୍ରୁତିବଦ୍ଧତାକୁ ପାଳନ କରିଆସିଛନ୍ତି। ତୀର୍ଥସ୍ଥାନଗୁଡ଼ିକର ଭିତ୍ତିଭୂମି ବିକାଶ ଓ ସୁବିଧା ପାଇଁ ସେ ସକ୍ରିୟ ପଦକ୍ଷେପ ନେଇଛନ୍ତି। ଗତ ଡିସେମ୍ବର ୧୩ରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜ ଯାଇ ୫,୫୦୦ କୋଟି ଟଙ୍କାର ୧୬୭ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ।