ଆଜି ମହାକୁମ୍ଭ ମେଳାର ଅନ୍ତିମ ଦିନ

ଆଜି ମହାଶିବରାତ୍ରି । ପ୍ରୟାଗରାଜରେ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ମେଳାର ଅନ୍ତିମ ଦିନ । ମହାଶିବରାତ୍ରିର ଶେଷ ସ୍ନାନ ପର୍ବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କର ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶ୍ବାସ ରହିଛି ମହାଶିବରାତ୍ରୀରେ ସଂଗମରେ ସ୍ନାନ କଲେ ହୋଇଥାଏ ମୋକ୍ଷପ୍ରାପ୍ତି। ଅନ୍ତିମ ସ୍ନାନ ଲାଗି ମେଳାରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ। ମହାଶିବରାତ୍ରୀରେ ଅନ୍ତିମ ଅମୃତ ସ୍ନାନ ସହ ଶେଷ ହେବ ପୂର୍ଣ୍ଣ ମହାକୁମ୍ଭ ।

୧୪୪ ବର୍ଷ ପରେ ଏଭଳି ଏକ ଐତିହାସିକ ମୁହୂର୍ତ୍ତର ମୂକ ସାକ୍ଷୀ ହେବା ଲାଗି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବେ ପ୍ରୟାଗରାଜରେ ବୁଡ଼ ପକାଇବା ପାଇଁ ଏକାଠି ହୋଇଛନ୍ତି। ତେବେ ଦଳାଚକଟା ଭଳି ଘଟଣାକୁ ଏଡ଼ାଇବା, ଆଇନଶୃଙ୍ଖଳା ବଜାୟ ଲାଗି ଶ୍ରଦ୍ଧାଳୁମାନଙ୍କୁ ନିକଟତମ ଘାଟରେ ସ୍ନାନ, ଶିବାଳୟ ଦର୍ଶନ ସାରି ଘରକୁ ଫେରିବାକୁ ଆହ୍ୱାନ କରାଯାଇଛି । ସେପଟେ ଅନ୍ତିମ ସ୍ନାନ ପୂର୍ବରୁ ବିମାନ ଭଡ଼ା ବଢ଼ିଯାଇଛି । ଦିଲ୍ଲୀରୁ ପ୍ରୟାଗରାଜ ଭଡା ୩୦ ହଜାର ରହିଥିବାବେଳେ ମୁମ୍ବାଇରୁ କୁମ୍ଭନଗରୀକୁ ଆସିବାକୁ ହେଲେ ୨୫ ହଜାର ଟଙ୍କା ଗଣିବାକୁ ପଡ଼ିବ । ମହାଶିବରାତ୍ରିରେ ପ୍ରତିବର୍ଷ ସହରରେ ୧୬ କିମିର ଶୋଭାଯାତ୍ରା ବାହାର କରାଯାଇଥାଏ । ତେବେ ଏଥର ଶ୍ରଦ୍ଧାଳୁମାନଙ୍କର ଭିଡ଼କୁ ଦେଖି ସେହି ଯାତ୍ରା ବାହାର କରାଯିବ ନାହିଁ । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିଲା ଏହି ମହାକୁମ୍ଭ ମେଳା ।

ଅଧିକ ପଢନ୍ତୁ