ରାଜ୍ୟରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ ଯୋଜନା। ମଙ୍ଗଳବାର କଟକରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା।ତେବେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଏହି ଯୋଜନାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ଼ ସାମନ୍ତସିଂହାର ରଥଯାତ୍ରା ପୂର୍ବରୁ ସାଢେ ୪ କୋଟି ଓଡିଶାବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି ।
ଡ଼ ସାମନ୍ତସିଂହାର ଆହୁରି ମଧ୍ୟ କହିଛନ୍ତି ଯେ, ୧୦ ମାସ ଧରି ଚେଷ୍ଟା କରି ମଧ୍ୟ ବିଏସ୍କେୱାଇ ଯୋଜନାରେ କୌଣସି ପରିବର୍ତ୍ତନ କରିପାରିଲେ ନାହିଁ ରାଜ୍ୟ ବିଜେପି ସରକାର । ସାରା ଦେଶରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶ୍ରେଷ୍ଠ ଥିଲା ବୋଲି ଆଜି ପୁଣି ଥରେ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । କେବଳ କାର୍ଡ ର ନାଁ ପରିବର୍ତ୍ତନ କରିବାରେ ସକ୍ଷମ ହୋଇପାରିଛନ୍ତି କିନ୍ତୁ ବିଏସ୍କେୱାଇ ଯୋଜନାରେ କିଛି ବି ଯୋଡି ପାରିନାହାନ୍ତି । ବିଏସ୍କେୱାଇରେ ୩ କୋଟି ୫୬ ଲକ୍ଷ ହିତାଧିକାରୀ ଉପକୃତ ହୋଇଥିଲା ବେଳେ, ଆୟୁଷ୍ମାନ ଭାରତରେ ମାତ୍ର ୩ କୋଟି ୫୧ ଲକ୍ଷ ହିତାଧିକାରୀ ସାମିଲ ହେବା ଦୁର୍ଭାଗ୍ୟଜନକ ।