ଏସ୍ଆଇ ସ୍କାମ୍ ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିର ଘନିଷ୍ଠ ସହେଯାଗୀ ସାଗର କୁମାର ଗୌଡକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ଦୀଘା ମଡ୍ୟୁଲର ଦାୟିତ୍ୱରେ ସାଗର ଥିବା ସୂଚନା ମିଳିଛି । ମାଷ୍ଟର ମାଇଣ୍ଡ ଶଙ୍କରଙ୍କ କେୟାର୍ ଟେକର୍ ଥିଲେ ସାଗର । ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲେ ଶଙ୍କର । ସେପଟେ ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀର ତଦନ୍ତ କରିବ ସିବିଆଇ । ଏନେଇ କେନ୍ଦ୍ର ସରକାର ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ହୋଇଛି । ତଦନ୍ତ ବେଳେ କେଳେଙ୍କାରୀ ପଛର ପ୍ରୟାସ, ପ୍ରୋତ୍ସାହନ ଓ ଷଡ଼ଯନ୍ତ୍ରକୁ ଫୋକସ କରିବ ସିବିଆଇ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ଗତମାସ ୨୨ ତାରିଖରେ ସୁପାରିସ କରିଥିଲେ । ସୂଚନାଯୋଗ୍ୟ, ଏହି ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି ସମେତ ୬ଜଣ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହାର ଶୁଣାଣି ୧୩ ତାରିଖରେ ହେବ ବୋଲି ସୂଚନା ମିଳିଛି ।
