ଓଡିଶାର ଅନେକ ସ୍ଥାନରୁ ଫେରିଲାଣି ମୌସୁମୀ

ଓଡିଶାରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ, ରବିବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଅନେକ ସ୍ଥାନରୁ ଅପସରି ଗଲାଣି। ଚଳିତ ବର୍ଷ ୨ ଜିଲ୍ଲା ନୂଆପଡ଼ା ଓ ମାଲକାନଗିରି ରେ ପ୍ରବଳ ବର୍ଷା ହୋଇଥିବା ବେଳେ । ୨୪ ଜିଲ୍ଲା ରେ ସ୍ବାଭାବିକ ବର୍ଷା ହୋଇଛି ଓ ୪ ଜିଲ୍ଲା ଭଦ୍ରକ, କେଉଁଝର , ଦେଓଗଡ ଓ ଝାରସୁଗୁଡ଼ା ରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଚି ।ଆଜିଠାରୁ ପ୍ରାୟତଃ ରାଜ୍ୟର ଅଧିକାଂଶ ଜିଲ୍ଲାରୁ ମୌସୁମୀ ଫେରିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗକୁ ବାଘୁଆ ଶୀତ ମାଡ଼ି ଆସିବ ବୋଲି ଅନୁମାନ କରାଯାଉଛି |ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଜିଠାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ,ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିଛି। ସେହିପରି ବଲାଙ୍ଗିର, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ଫେରି ଯାଇଛି। ତେବେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ଅଳ୍ପ କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।ଅନ୍ୟପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ଭାରତ ମହାସାଗର ମଧ୍ୟମ ଟ୍ରପୋସଫେରିକ୍ ସ୍ତର ପର୍ଯ୍ୟନ୍ତ ବ୍ୟାପିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଏହାର ପ୍ରଭାବରେ ଅକ୍ଟୋବର ୧୪ ରେ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ।

ଅଧିକ ପଢନ୍ତୁ