କୃତ୍ରିମ ବୁଦ୍ଧିମତା ବା ଏଆଇ ତାଲିମ ନେବେ ରାଜ୍ୟ ସରକାରୀ ଅଫିସର । ଏ.ଆଇ ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି କର୍ମଶାଳା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ରାଜ୍ୟର ସରକାରୀ ଅଫିସରମାନଙ୍କୁ ଏଆଇର ପ୍ରୟୋଗ ଉପରେ ତାଲିମ ସମ୍ବନ୍ଧିତ ଏହା ଥିଲା ପ୍ରଥମ କର୍ମଶାଳା। ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ଅଫିସରଙ୍କୁ ଏଆଇରେ ତାଲିମ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟ ସଚିବ କହିଥିଲେ, ଆଜି ଯାହା କଷ୍ଟକର ମନେହେଉଛି, ଆସନ୍ତାକାଲି ତାହା AI ର ପ୍ରୟୋଗ ମାଧ୍ୟମରେ ସହଜସାଧ୍ୟ ବୋଲି ପ୍ରମାଣିତ ହେବ । ଏହା ସହିତ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଘଟୁଥିବା ଦ୍ରୁତ ନବସୃଜନ ଯୋଗୁଁ ଏଆଇ ସମ୍ପର୍କରେ ସରକାରୀ ଅଧିକାରୀମାନେ ଜାଣିବା ଓ ବୁଝିବା ଜରୁରୀ ହୋଇପଡ଼ିଛି ବୋଲି ମୁଖ୍ୟ ସଚିବ କହିଥିଲେ । ଖୁବଶୀଘ୍ର ରାଜ୍ୟର ସ୍ବତନ୍ତ୍ର ଏ.ଆଇ. ପଲିସି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଲ ଦେବ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ, ଆସନ୍ତା ୩ ମାସ ମଧ୍ୟରେ ଏଆଇର ବ୍ୟବହାର ଶିଖିବାକୁ ଅଫିସରମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
