ବାଲେଶ୍ବରକୁ ଫେରିଆସିଛନ୍ତି ଛାତ୍ର ଛାତ୍ରୀ । ଜମ୍ମୁରେ ପଢୁଥିବା ପିଲାମାନଙ୍କୁ ଅଭିଭାବକ ଫେରାଇ ଆଣିଛନ୍ତି । ସୀମାରେ ଯୁଦ୍ଧ ଭୟ ଘାରିଥିବାରୁ ଅଭିଭାବକମାନେ ତା ପୂର୍ବରୁ ପିଲାଙ୍କୁ ଫେରାଇଆଣିଛନ୍ତି । ଜମ୍ମୁର ସଂସ୍କୃତ ବିଶ୍ବବିଦ୍ୟାଳୟରୁ ୩ ଛାତ୍ରୀ ଫେରି ଆସିଛନ୍ତି । ସେମାନେ ହେଲେ ହେନା ମଙ୍ଗଲ, ଗୀତାଞ୍ଜଳି ଜେନା , ଜସ୍ମିତା ନାୟକ । ଛାତ୍ରୀ ମାନଙ୍କ ଘର ବାରିପଦା , ଜଳେଶ୍ଵର ଓ ଲଙ୍ଗଳେଶ୍ବର ଅଞ୍ଚଳ ବୋଲି ଜଣାପଡିଛି । ଆହୁରି ୮ ଜଣରୁ ଅଧିକ ଛାତ୍ରଛାତ୍ରୀ ଜମ୍ମୁ କାଶ୍ମୀରରୁ ବାଲେଶ୍ଵର ଆସିବେ ବୋଲି ଜଣାପଡିଛି । ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ସ୍ଥିତି ବିଗିଡ଼ିବା ପରେ ୟୁନିଭର୍ସିଟି ପକ୍ଷରୁ ସେମାନଙ୍କୁ ଦିଲ୍ଲୀ ପଠା ଯାଇଥିଲା । ସେଠାରୁ ସେମାନେ ପ୍ରଶାସନ ସହଯୋଗରେ ବାଲେଶ୍ୱର ପହଞ୍ଚିଥିବା କହିଛନ୍ତି ।ଅନ୍ୟପକ୍ଷେ ଭୁବନେଶ୍ୱରର ସଂସ୍କୃତି ଭବନ ଠାରେ ଜାରି ହୋଇଥିବା ନମ୍ବର (-୦୬୭୪-୨୪୩୧୯୪୫, ୯୫୮୩୩୨୧୯୬୪) ରହିଛି।ଏହି ନମ୍ବରରେ ଛାତ୍ରଛାତ୍ରୀ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।ଭାରତ – ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନ ଲଗାତାର ୪ ଦିନ ହେଲା ଯୁଦ୍ଧ ବିରତି ଉଲଂଘନ କରି ଭାରତ ସୀମାବର୍ତ୍ତୀ ଇଲାକାରେ ଗୁଳିମାଡ ଜାରି ରଖିଛି । ଏହାସହ ଡ୍ରୋନ ଆକ୍ରମଣ ମଧ୍ୟ କରୁଛି । କେବଳ ଏତିକି ନୁହେଁ ଫାଇଟର ଜେଟରେ ମଧ୍ୟ ପାକିସ୍ତାନ ଭାରତର ଆକାଶପଥରେ ଅନୁପ୍ରବେଶ କରିଥିବା କହିଛନ୍ତି ସେନାଧିକାରୀ ସୋଫିଆ କ୍ୟୁରେସି ।
