ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଅରିନ୍ଦମ ସିହ୍ନା । ବର୍ତ୍ତମାନ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅଛନ୍ତି । ଚଳିତ ମାସ ୧୯ରେ ତାଙ୍କର କାର୍ଯ୍ୟକାଳ ସରୁଥିବାବେଳେ, ୨୦ ତାରିଖରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱରେ ରହିବେ ଜଷ୍ଟିସ ସିହ୍ନା । ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।ଲାଇଭ ଲ’ ରିପୋର୍ଟ ଅନୁସାରେ, ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କ ଜନ୍ମ ପଶ୍ଚିମବଙ୍ଗରେ ୧୯୬୫ ସେପ୍ଟେମ୍ବର ୨୨ ତାରିଖରେ ହୋଇଥିଲା । ଆଇନରେ ଶିକ୍ଷା ଶେଷ କରିବା ପରେ ୧୯୯୧ ମାର୍ଚ୍ଚ ୧୧ରେ ଆଇନଜୀବୀ ଭାବେ ନାମ ପଞ୍ଜିକରଣ କରିଥିଲେ । ଦୀର୍ଘ ୨୨ ବର୍ଷ ଧରି ସେ କଲିକତା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ ।
