ଦୟାନଦୀ ଜଳ ସମ୍ପୂର୍ଣ୍ଣ ଦୂଷିତ,ଦୟାନଦୀ ଜଳ ଆଉ ବ୍ୟବହାର ଉପଯୋଗୀ ନୁହେଁ।

କଣାସରେ ଦୟାନଦୀ ଜଳ ସମ୍ପୂର୍ଣ୍ଣ ଦୂଷିତ ହୋଇଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଦୟାନଦୀ ଜଳର ରିପୋର୍ଟ । ଏହି ନଦୀର ଜଳରେ ଭୟଙ୍କର ଭୂତାଣୁ ଥିବା ରିପୋର୍ଟରୁ ଜଣାପଡିଛି ।ଖୋଦ୍ ସ୍ବାସ୍ଥ୍ୟ ବିଭାଗ ଏହି ପ୍ରସଙ୍ଗରେ ଲୋକଙ୍କୁ ସତର୍କ କରାଇବା ସହ ଦୟା ଜଳକୁ ବ୍ୟବହାର ନ କରିବା ଲାଗି ପରାମର୍ଶ ଦେଇଛି। ଏହି ନଦୀଜଳ ବ୍ୟବହାର କରି ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ପୁରୀ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ପ୍ରଦୂଷିତ ଜଳ ବ୍ୟବହାର ନ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରୂପଭାନୁ ମିଶ୍ର ଲୋକଙ୍କୁ ଅନୁରୋଧ କରିଛନ୍ତି। ଭୁବନେଶ୍ୱରର ନାଳନର୍ଦ୍ଦମା, ବର୍ଜ୍ୟବସ୍ତୁ ଗଙ୍ଗୁଆ ନାଳ ଦେଇ ପିପିଲିର ନଟାସାହିଠାରେ ଦୟାନଦୀକୁ ନିଷ୍କାସିତ ହେଉଛି।

ଫଳରେ ଦୟାନଦୀ ପାଣି ଭୟଙ୍କର ପ୍ରଦୂଷିତ ହୋଇ ନିମ୍ନ ଅବବାହିକାର ଲୋକଙ୍କ ପାଇଁ ଜହରରେ ପରିଣତ ହୋଇଛି।ନଦୀ ତଳମୁଣ୍ଡରେ ଥିବା କଣାସ ବ୍ଲକ୍‌ର ଲୋକଙ୍କ ପାଇଁ ଦୟା ଜଳ ପିଇବା ପାଇଁ ଏକମାତ୍ର ଉତ୍ସ ହୋଇଥିବାରୁ ଲୋକେ ପିଇବାକୁ ବାଧ୍ୟ ହେଉଛନ୍ତି। ଗଡ଼ସାନପୁଟ, ଗଡ଼ବଡ଼ପୁଟ, ପାଣ୍ଡିଆକେରା, ଦୋକନ୍ଦା, କଣାସ, ତ୍ରିଲୋଚନପୁର, ଗଡ଼ବଳଭଦ୍ରପୁର, ଚୁପୁରିଙ୍ଗି, ଗଡ଼ଶାହି, ବଡ଼ାଲ, ଗୋପୀନାଥପୁର, କାଦୁଆ, ଗଡ଼ିଶାଗୋଦା ପଞ୍ଚାୟତର ଶତାଧିକ ଗ୍ରାମ ଦୟା, ମକରା ଓ ରଜୁଆ ନଦୀର ଜଳକୁ ପାନୀୟ ଜଳ ସହିତ ନିତ୍ୟ ବ୍ୟବହାର୍ଯ୍ୟ କାମରେ ଲଗାଉଛନ୍ତି।ଦୟାରେ ଗଙ୍ଗୁଆ ନାଳର ଦୂଷିତ ଜଳ ନ ଛାଡ଼ିବାକୁ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ପାରୁନାହିଁ। ଲୋକଙ୍କୁ ଦୟାନଦୀ ଜଳକୁ ପାନୀୟ ଭାବେ ବ୍ୟବହାର ନ କରିବାକୁ ସଚେତନ କରାଯାଉଛି।

ଅଧିକ ପଢନ୍ତୁ