ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇନାଲ ରିପୋର୍ଟ ଖୁବ୍ଶୀଘ୍ର ଦାଖଲ ହେବ। ଏ ନେଇ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ସୂଚନା ଦେଇଛନ୍ତି। ଅନ୍ତରୀଣ ଚାର୍ଜସିଟ ବଳରେ ମାମଲାର ବିଚାର ଚାଲିଛି।ପରିବାରର ଅଭିଯୋଗ ଓ କେତେକ ପ୍ରସଙ୍ଗ ନେଇ ତଦନ୍ତ ଚାଲିଛି’ । ଏନେଇ ଖୁବ୍ଶୀଘ୍ର ଫାଇନାଲ୍ ରିପୋର୍ଟ ଦାଖଲ ହେବ’ ।
ଶନିବାର କ୍ରାଇମ୍ବ୍ରାଞ୍ଚ ଏଏସ୍ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ମନ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ପୋଲିସ ଏଏସ୍ଆଇ ଗୋପାଳ ଦାସଙ୍କ ବ୍ରହ୍ମପୁରସ୍ଥିତ ବାସଭବନକୁ ଯାଇଥିଲା। ଆଙ୍କୋଲି ଶିଳ୍ପାଞ୍ଚଳ ନିକଟସ୍ଥ ପଞ୍ଚଶୀଳମାର୍ଗରେ ଥିବା ବାସଭବନରେ ସ୍ତ୍ରୀ ଜୟନ୍ତୀ ଦାସଙ୍କ ସହିତ କ୍ରାଇମବ୍ରାଞ୍ଚ ଟିମ୍ ଆଲୋଚନା କରିଥିଲା। ଗୁଳିମାଡ଼ ଘଟଣା ଦିନ ଓ ଏହା ପୂର୍ବରୁ ଜସହିତ କ’ଣ ସବୁ କଥା ହୋଇଥିଲେ ସେ ସବୁ ଦିଗ ପ୍ରତି ଗୁରୁତ୍ୱ ଦେଇ କ୍ରାଇମ୍ବ୍ରାଞ୍ଚ ଟିମ୍ ତାଙ୍କୁ ପଚରାଉଚରା କରିଥିଲା। ଏଥିସହ ତାଙ୍କର ବୟାନ ରେକର୍ଡ କରାଯାଇଥିବା ଏଏସ୍ପି ମଲ୍ଲିକ କହିଛନ୍ତି। ଗତଥର ତଦନ୍ତ ପାଇଁ ବ୍ରହ୍ମପୁର ଆସିଥିବା କ୍ରାଇମ୍ବ୍ରାଞ୍ଚ ଟିମ ମଧ୍ୟ ଏ ସମସ୍ତଙ୍କର ବୟାନ ନେଇଥିଲା। ୪ଜଣ ପରିବାରବର୍ଗ, ଜଣେ ପୋଲିସ ବନ୍ଧୁ, ଓଏସ୍ଆର୍ଟିସିର ଜଣେ ବସ୍ କଣ୍ଡକ୍ଟର୍ ଏହିଭଳି ୧୧ଜଣଙ୍କ ବୟାନ କ୍ରାଇମ୍ବ୍ରାଞ୍ଚ ଟିମ୍ ଇତିମଧ୍ୟରେ ନେଇସାରିଥିବା ଜଣାପଡ଼ିଛି।