ପହଲଗାଓଁ ଆକ୍ରମଣ ପରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ କେକ୍ କଟାଯାଇଥିଲା। ଏହାକୁ ନେଇ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦୂତାବାସକୁ କେକ୍ ନେଇ ଯାଉଥିବା ବ୍ୟକ୍ତିଙ୍କୁ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଘେରିଯାଇ ନାନା ପ୍ରଶ୍ନ କରିଥିଲେ। ଏବେ ତଦନ୍ତରୁ ଜଣାପଡ଼ିଛି ଯେ ସେହି ବ୍ୟକ୍ତି ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଘନିଷ୍ଠ ବୋଲି ଜଣାପଡ଼ିଛି। ଜ୍ୟୋତିଙ୍କ ଏକ ପୁରୁଣା ଭିଡିଓରେ ସେହି ବ୍ୟକ୍ତି ନଜର ଆସିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ସହିତ ଜ୍ୟୋତିଙ୍କ ସମ୍ପର୍କ ରହିଛି। ଉଭୟଙ୍କର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିବା ପରେ ତାହା ସ୍ପଷ୍ଟ ହୋଇଛି।ଜ୍ୟୋତିଙ୍କଙ୍କ ବିରୁଦ୍ଧରେ ଏବେ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଏବଂ ଭାରତୀୟ ନ୍ୟାୟ ସଂହିତାର ଧାରା ଅନୁଯାୟୀ ଦେଶଦ୍ରୋହ ଅଭିଯୋଗ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଜ୍ୟୋତି ପହଲଗାଓଁ ଆକ୍ରମଣ ପୂର୍ବରୁ ସେଠାକୁ ଗସ୍ତ କରିଥିଲେ। ଏହା ପରେ ପରେ ସେ ପାକିସ୍ତାନ ଯାଇଥିଲେ। ପରେ ସେଠାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜ୍ୟୋତିଙ୍କ ପହଲଗାଓଁ ଏବଂ ପାକିସ୍ତାନ ଗସ୍ତର କ’ଣ ଲିଙ୍କ୍ ରହିଛି ତାହାର ଖୋଳତାଡ଼ କରୁଛନ୍ତି ତଦନ୍ତ ଅଧିକାରୀ।
