ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ୍ ସାନବାର୍ଲି ପଞ୍ଚାୟତରେ ଅଛି ବଡ଼ବାର୍ଲି ଗାଁ। ଏହି ଗାଁ ୧୦୦ ବର୍ଷରୁ ଅଧିକ ପୁରୁଣା। କିନ୍ତୁ ୧୦୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ଗାଁର ପ୍ରମୁଖ ସମସ୍ୟା ଦୂର ହୋଇପାରି ନାହିଁ। ଗାଁର ପ୍ରମୁଖ ସମସ୍ୟା ହେଉଛି ପାଣି।ଏହି ଗାଁରେ ଅନ୍ୟ କୌଣସି ଗାଁର ଲୋକେ ସେମାନଙ୍କ ଝିଅଙ୍କୁ ବାହା କରିବାକୁ ପସନ୍ଦ କରୁ ନାହାନ୍ତି। ଫଳରେ ବଡ଼ବାର୍ଲି ଗାଁରେ ଏବେ ପ୍ରାୟ ୮୦ ଜଣ ବିବାହଯୋଗ୍ୟ ଯୁବକଙ୍କ ବାହାଘର ହୋଇପାରୁନାହିଁ। ବଡ଼ବାର୍ଲି ଗାଁରେ ୨୧୮ଟି ଘର ଅଛି। ଗାଁର ମୋଟ ଜନସଂଖ୍ୟା ୧୦୦୦ରୁ ଅଧିକ। ସେମାନେ ଆଦିବାସୀ ଓ ଦଳିତ। ପାହାଡ଼, ଜଙ୍ଗଲ ଘେରା ଏହି ଗାଁକୁ ରାସ୍ତା ଯାଇଛି। ବିଜୁଳି ବି ପହଞ୍ଚି ପାରିଛି। କିନ୍ତୁ ଜଳ ବ୍ୟବସ୍ଥା ହୋଇପାରିନାହିଁ। ଏମିତି ନୁହେଁ ଯେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ କିଛି ବ୍ୟବସ୍ଥା ହୋଇନାହିଁ। ଗାଁରେ ୭ଟି ନଳକୂପ ବସାଯାଇଥିଲା। ସେଥିରୁ ୩ଟି ସଂପୂର୍ଣ୍ଣ ଅଚଳ ହୋଇସାରିଛି। ବାକି ୪ଟି ନଳକୂପରୁ ଗୋଟିଏରୁ ପାଣି ବାହାରୁଛି। ଏଭଳି ସ୍ଥିତିରେ ଗ୍ରାମବାସୀଙ୍କ ପାଇଁ ଏକମାତ୍ର ସାହାରା ସାଜିଛି ଗାଁ ନିକଟରେ ଥିବା ଏକ ଝରଣା। ଝରଣାଟି ଗାଁଠାରୁ ୧ କିଲୋମିଟର ଦୂରରେ ରହିଛି। ସେଠାରେ ପଥର ସନ୍ଧିରେ ୨ଟି ମୋଟା ପାଇପ ଲଗାଇ ଦିଆଯାଇଛି।
ସେହି ପାଇପରୁ ଲୋକେ ପାଣି ସଂଗ୍ରହ କରୁଛନ୍ତି। କେବଳ ପାଣି ସଂଗ୍ରହ କରୁ ନାହାନ୍ତି, ଗାଧୋଇବା, ଲୁଗା ସଫା କରିବା ତଥା ବାସନକୁସନ ସଫା ଆଦି କାର୍ଯ୍ୟ ବି ସେଠାରେ ହୋଇଥାଏ। ବଡ଼ବାର୍ଲି ଗାଁ ଲୋକଙ୍କ ଜଳକଷ୍ଟ ଦୂର କରିବା ପାଇଁ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଦୁଇ ବର୍ଷ ତଳୁ ଏହାର କାମ ଚାଲିଛି। ପାଣି ଟାଙ୍କି ନିର୍ମାଣ କାମ ଶେଷ ହୋଇଥିବା ବେଳେ ଗାଁର ବିଭିନ୍ନ ସ୍ଥାନରେ ଜଳ ସଂଗ୍ରହ ପାଇଁ ପାଇପ ବିଛା ଯାଇ ଟ୍ୟାପ ସଂଯୋଗ କରାଯାଇଛି। କିନ୍ତୁ ପ୍ରକଳ୍ପ କାମ ଶେଷ ହେବାରେ ବିଳମ୍ବ ହେଉଛି। ତେବେ ପାଣି ସମସ୍ୟା ଯୋଗୁ ବଡ଼ବାର୍ଲି ଗାଁର ଯୁବକମାନଙ୍କ ବିବାହର ସମସ୍ୟା ଉପୁଜୁଥିବା ବେଳେ ବାହାଘର ପରେ ମଧ୍ୟ ସମସ୍ୟା ଦେଖାଯାଉଛି। ସ୍ତ୍ରୀ ଗାଁରେ ରହିବାକୁ ପସନ୍ଦ କରୁନି। ଏମିତି ଜଣେ ମହିଳା ତାଙ୍କ ସ୍ୱାମୀ ଓ ପୁଅକୁ ଛାଡ଼ି ବାପ ଘରକୁ ପଳାଇବାର ନଜିର ରହିଛି।