ଢେଙ୍କାନାଳ ଜିଲ୍ଲାରେ ଏବେ ଆଳୁର ଅଭାବୀ ବିକ୍ରି ନେଇ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତଳଭଣ୍ଡାର ନଥିବାରୁ କୁଇଣ୍ଟାଲ କୁଇଣ୍ଟାଲ ଆଳୁ ଏବେ ପଚିଯାଉଛି। ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଗତ କିଛି ମାସ ପୂର୍ବେ ଆଳୁ କିଲୋ ପିଛା ଅନ୍ୟୁନ ୬୦/୭୦ଟଙ୍କା ଏପରିକି ଆଳୁ ପରିବା ବଜାରରେ ସ୍ୱପ୍ନ ପାଲଟି ଯାଇଥିଲା । ଏବେ କିନ୍ତୁ କିଲୋ ପିଛା 10 ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଏକଦା ରାଜ୍ୟରେ ଆଳୁର ଏପରି ଉତ୍କଟ ଅଭାବ ସାଧାରଣ ଖାଉଟିଙ୍କ ମୁଣ୍ଡବ୍ୟଥାର କାରଣ ହୋଇପଡିଥିଲା । ମାତ୍ର ଏପଟେ ପଚି ଯାଉଛି କୁଇଣ୍ଟାଲ କୁଇଣ୍ଟାଲ ଆଳୁ । ହତାସ ହୋଇପଡିଛନ୍ତି ଆଳୁ ଚାଷୀ । ଚାଷୀଙ୍କ ଚିନ୍ତା, ବିଲରୁ ଆମଦାନୀ ବସ୍ତା ବସ୍ତା ଆଳୁ ରଖିବେ କେଉଁଠି ?କାମାକ୍ଷାନଗର, ଓଡାପଡା ଆଦି ଅଂଚଳର ଆଳୁ ଚାଷୀଙ୍କ ଅବସ୍ଥା ମଧ୍ୟ ସମାନ। ଆଳୁ ସଙ୍କଟ ଦୂର କରିବାକୁ ସରକାର ଓ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବା ଆବଶ୍ୟକ।
