ପୋଲିସକୁ ଲିପ୍ଟ ମାଗି ଫସିଲେ ଡକାୟତ,ଜଙ୍ଗଲ ମଝିରୁ ୮ ଝାଡଖଣ୍ଡ ଲୁଟେରା ଗିରଫ

କଳାହାଣ୍ଡି ଜିଲ୍ଲା ପୁଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଧର୍ମଗଡ଼ ଥାନା ପୁଲିସ ଏକ ବଡ଼ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡ଼ି ଏବଂ ମାରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି।ଧର୍ମଗଡର ଏକ ମଦ ଭାଟିରେ ପଶି ଡକାୟତି ପରେ 6 ଜଣ ଡକାୟତ ବୋଲେରୋରେ ପଳାଇଥିଲେ । ହେଲେ ଦୁଇ ଡକାୟତ ନ ଯାଇ ପାରି NH ରେ ରହି ଯାଇଥିଲେ ଓ ଲିଫ୍ଟ ମାଗିଥିଲେ । ହେଲେ ଲିଫ୍ଟ ନ ମିଳିବାରୁ ଶେଷରେ ପୋଲିସ ଗାଡ଼ିକୁ ମଧ୍ୟ ଲିଫ୍ଟ ମାଗିଥିଲେ । ପୋଲିସ ତାଙ୍କୁ ଗାଡ଼ିରେ ନେଇଥିବା ବେଳେ ପଚରା ଉଚୁରାରୁ ମିଳିଥିଲା ତଥ୍ୟ ।

ଯାହା ଫଳରେ ନିକଟସ୍ଥ ଜଙ୍ଗଲରୁ ପୋଲିସ ପୁଳା ପୁଳା ଟଙ୍କା ବିଡା ଜବତ କରିଛି । ଏହି ଅପରେସନରେ ଓଡ଼ିଶା ଓ ଝାଡ଼ଖଣ୍ଡର 11 ଜିଲାର ପୋଲିସ ନିୟୋଜିତ ଥିଲେ । 24 ଘଣ୍ଟାରେ 8 ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ପୋଲିସ । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପୁଲିସର ତ୍ୱରିତ୍ଵ କାର୍ଯ୍ୟାନୁଷ୍ଠାନ ଏବଂ ସଫଳତା ନିମନ୍ତେ କଳାହାଣ୍ଡି ଏସପି ଏବଂ ତାଙ୍କ ଟିମକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ମାତ୍ର କିଛି ଘଣ୍ଟା ପରେ ସ୍ଥାନୀୟ ପୁଲିସ ଡକାୟତ ଦଳ ସହିତ ଲୁଟ୍ ହୋଇଥିବା ଟଙ୍କା ଉଦ୍ଧାର କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ପୁଲିସର କାର୍ଯ୍ୟଦକ୍ଷତାକୁ ସାବାସୀ ଦିଆଯାଇଛି।

ଅଧିକ ପଢନ୍ତୁ