ବହୁ ଗୁରୁତ୍ୱପୂର୍ଣ୍ଣ ସୁପ୍ରିମକୋର୍ଟ ରାୟ ସହ ଜଡ଼ିତ ଥିବା ସର୍ବବରିଷ୍ଠ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ସୋମବାର ଭାରତର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ। ସୋମବାର ପୂର୍ବାହ୍ନ ୧୦ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ ପାଠ କରାଇବେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ସୁପାରିସକ୍ରମେ ଜଷ୍ଟିସ ଖାନ୍ନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଅକ୍ଟୋବର ୨୪ରେ ନିଯୁକ୍ତି ଦିଆଯାଇଥିଲା। ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ୨୦୨୫ ମେ ୧୩ରେ ଶେଷ ହେବ। ଜଷ୍ଟିସ ଖାନ୍ନା ୨୦୧୯ ଜାନୁଆରୀରୁ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ସୁପ୍ରିମକୋର୍ଟର ବିଭିନ୍ନ ପୀଠର ସଦସ୍ୟ ଭାବେ ଗୁରୁତ୍ବପୂର୍ଣ୍ଣ ନ୍ୟାୟିକ ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟରେ ରହିଛି ଇଭିଏମ୍ର ବୈଧତା, ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ରଦ୍ଦ କରିବା, ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଅରବିନ୍ଦ କେଜରିୱାଲଙ୍କୁ ଜାମିନ ପ୍ରଦାନ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ।