ଫାୟାରିଙ୍ଗ ଅଭ୍ୟାସ ବେଳେ ହଠାତ୍ ଟ୍ୟାଙ୍କରେ ବୋମା ବିସ୍ଫୋରଣ,ଜଣେ ଓଡ଼ିଆ ଯବାନ ସହିଦ୍ । କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ବୋଡାଗୁଡା ଗାଁର ଯବାନ ଈଶ୍ବର ତଲିଆ ସହିଦ୍ ହୋଇଛନ୍ତି । ସେ ୨୦୧୧ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ସମ୍ପ୍ରତି ଯବାନ ଈଶ୍ୱର ଜମ୍ମୁରେ ୪୬ ଆର୍ମୀ ଆରମୋଡ୍ ରେଜିମେଣ୍ଟରେ ଏଲ.ଡି ପଦବିରେ କାର୍ଯ୍ୟରତ ଥିଲେ।ଈଶ୍ଵର ତଲିଆ ସାଥୀ ଯବାନମାନଙ୍କ ସହିତ ଫାଇରିଙ୍ଗ ଅଭ୍ୟାସ ପାଇଁ ରାଜସ୍ଥାନର ଫକରନ୍ ପଠାଯାଇଥିଲା।
ରାଜସ୍ଥାନର ଫକରନ୍ ରେଞ୍ଜରେ ବୁଧବାର ପୂର୍ବାହ୍ନ ୯ଟା ବେଳେ ଟ୍ୟାଙ୍କ ଫାଇରିଙ୍ଗ ଅଭ୍ୟାସ ଚାଲିଥିବା ବେଳେ ହଠାତ୍ ଟ୍ୟାଙ୍କ ଭିତରୁ ଏକ ବୋମା ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଏସ୍.ଡି.ଏମ୍. ଆଶୁତୋଷ ମିଶ୍ର ଏବଂ ରାଜସ୍ଥାନର ଏଲ.ଡି. ଜିତେନ୍ଦ୍ର କୁମାର ସହିଦ୍ ହୋଇଥିଲେ। କିନ୍ତୁ ଯବାନ ଈଶ୍ୱର ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଯବାନ ଈଶ୍ୱରଙ୍କୁ ରାଜସ୍ଥାନରୁ ହେଲିକପ୍ଟର ଯୋଗେ ଚଣ୍ଡୀଗଡ଼ କମାଣ୍ଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ଆଜି ଚିକିତ୍ସାଧୀନ ଅବସ୍ଥାରେ ସହିଦ୍ ହୋଇଯାଇଥିଲେ ଈଶ୍ବର ।