ବଙ୍ଗୋପସାଗର ଉପରେ ଦୁଇଟି ଘୂର୍ଣ୍ଣିବଳୟ ସକ୍ରିୟ: ୧୪ରୁ ବଢ଼ିବ ବର୍ଷା

ବଙ୍ଗୋପସାଗର ଉପରେ ଦୁଇଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଉପକୂଳ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ଓ ଦକ୍ଷିଣ ପୂର୍ବ ଓ ସଂଲଗ୍ନବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଆଉ ଏକ ଘୂର୍ଣ୍ଣି ବଳୟ ସକ୍ରିୟ ରହିଛି। ପ୍ରଭାବରେ ଆଗାମୀ ୫ ଦିନ ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ୧୨ ତାରିଖ ପରଠାରୁ ରାଜ୍ୟ ପାଗରେ ପରିବର୍ତ୍ତନ ହେବା ସହିତ ୧୪ ତାରିଖଠାରୁ ଧୀରେ ଧୀରେ ବର୍ଷାର ବିସ୍ତୃତି ବଢ଼ିପାରେ। ଏଥିସହ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୧୩ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ବିଭିନ୍ନ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହେବ। ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟ ଭିତରକୁ ପ୍ରବାହିତ ହେବ।

ଏହାପରେ ୧୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ, ଯାହା ମୌସୁମୀକୁ ଆହୁରି ସକ୍ରିୟ କରିବ। ତେବେ ଲଘୁଚାପ ସୃଷ୍ଟି ହେଲେ ମୌସୁମୀ କେଉଁ ଦିଗରେ ଗତି କରିବ ଓ କେଉଁ ଜିଲାରେ ଏହାର ପ୍ରଭାବ କିଭଳି ରହିବ ତାହା ସ୍ପଷ୍ଟ ହୋଇନାହିଁ। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ଅଧିକ ପଢନ୍ତୁ

Odisha Darpan Digital