ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ସୋମବାର ଗୁଜରାଟ ଗାନ୍ଧୀନଗରସ୍ଥିତ ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ଲାବୋରେଟୋରି (ଏସ୍ଏଫ୍ଏସ୍ଏଲ୍)ରେ ୫ ପୋଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା ହେବ। ସେମାନଙ୍କୁ ନେଇ କ୍ରାଇମବ୍ରାଞ୍ଚ ଦଳ ରବିବାର ଗୁଜରାଟ ଗସ୍ତ କରିଥିବା ସୂଚନା ମିଳିଛି। ସୋମବାର ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣଙ୍କର ପଲିଗ୍ରାଫ, ବ୍ରେନ ମ୍ୟାପିଂ ଓ ନାର୍କୋ ପରୀକ୍ଷା କରାଯିବ। ଅନ୍ୟ ୪ ନିଲମ୍ବିତ ପୁଲିସ ଅଧିକାରୀଙ୍କ ମଧ୍ୟ ଗୁଜରାଟରେ ପଲିଗ୍ରାଫ ପରୀକ୍ଷା ହେବ। ଜଣଙ୍କ ପରେ ଜଣଙ୍କୁ ଏସବୁ ଟେଷ୍ଟ କରାଇବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି। ଟେଷ୍ଟ ସରିବା ପରେ ସମସ୍ତ ପୋଲିସ ଅଧିକାରୀଙ୍କୁ ଧରି କ୍ରାଇମବ୍ରାଞ୍ଚ ଟିମ୍ ଓଡ଼ିଶା ଫେରିଆସିବ। ଉକ୍ତ ରାତିରେ ପ୍ରକୃତରେ କ’ଣ ଘଟିଥିଲା। କାହା ବୟାନରେ ସତ ରହିଛି। ଏସବୁ ଜାଣିବାକୁ କ୍ରାଇମ୍ବ୍ରାଞ୍ଚ ପାଖରେ ଶେଷ ବିକଳ୍ପ ରହିଛି ସାଇଣ୍ଟିଫିକ୍ ଟେଷ୍ଟ। ଏସବୁ ପରୀକ୍ଷା ପରେ ମାମଲାକୁ ନେଇ ସତକଥା ପଦାକୁ ଆସିବ ବୋଲି ଆଶା ରହିଛି।