ଭରତପୁର ଥାନା ମାମଲା: ଆସିଲା ସାଇଣ୍ଟିଫିକ୍ ରିପୋର୍ଟ

ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ମାମଲା । ଆସିଲା ନିଲମ୍ବିତ ୫ ପୋଲିସ ଅଧିକାରୀଙ୍କ ସାଇଣ୍ଟିଫିକ୍ ରିପୋର୍ଟ । କ୍ରାଇମବ୍ରାଞ୍ଚ ହାତରେ ହସ୍ତଗତ ହୋଇଛି ଗୁଜରାଟ ଡିଏଫଏସଏଲର ରିପୋର୍ଟ ।ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଜଣଙ୍କ ପଲିଗ୍ରାଫ ପରୀକ୍ଷା କରାଯାଇଥିଲା। ଦୀନକୃଷ୍ଣଙ୍କ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଆନାଲାସିସ ସମେତ ପଲିଗ୍ରାଫ ପରୀକ୍ଷା କରାଯାଇଥିବା ବେଳେ ଅନ୍ୟ ୪ କର୍ମଚାରୀଙ୍କର କେବଳ ପଲିଗ୍ରାଫ୍‌ ପରୀକ୍ଷା ହୋଇଥିଲା। ସମୀକ୍ଷା ପରେ ଏହି ରିପୋର୍ଟ ସମ୍ପର୍କରେ କ୍ରାଇମବ୍ରାଞ୍ଚ ତଥ୍ୟ ରଖିବ ବୋଲି ଜଣାପଡ଼ିଛି।ଏବେ ମୋବାଇଲ ଫୋନର ଫରେନସିକ ରିପୋର୍ଟକୁ ଅପେକ୍ଷା ରହିଛି ।

ଅନ୍ୟପଟେ ସେନା ଅଧିକାରୀ ଓ ପୀଡ଼ିତାଙ୍କ ମୋବାଇଲର ଫୋନ୍‌ର ଏସ୍‌ଏଫ୍‌ଏସଏଲ୍‌ରୁ ରିପୋର୍ଟ ଆସିନାହିଁ। ଉଭୟ ରିପୋର୍ଟକୁ ଅନୁଧ୍ୟାନ ଓ ଯାଞ୍ଚ କରି ମାମଲା ଉପରୁ ଖୁବଶୀଘ୍ର ପରଦା ହଟାଇବା ପାଇଁ ତଦନ୍ତକାରୀ ସଂସ୍ଥା ଯୋଜନା କରିଛି।ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ପୀଡ଼ିତା ରାତି ୧ଟା ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ଆକ୍ରମଣ କରିବା ସହ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା ।

ଅଧିକ ପଢନ୍ତୁ