ଆନ୍ତର୍ଜାତିକ ଶ୍ରମିକ ଦିବସ କାର୍ଯ୍ୟକ୍ରମ ସ୍ଥାନୀୟ ଓ.ୟୁ.ଏ.ଟି କୃଷି ଶିକ୍ଷା ସଦନରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଦୁଇଟି ପ୍ରମୁଖ ଶ୍ରମିକ ପ୍ରତୀକ୍ଷା ସ୍ଥାନ- ଡୁମ୍ଡୁମା ଏବଂ କଳ୍ପନା ଛକ ଠାରେ ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ର ଉଦ୍ଘାଟନ କରିଥିଲେ ।ଏହି ପ୍ରତୀକ୍ଷା କେନ୍ଦ୍ରମାନଙ୍କରେ ଶ୍ରମଜୀବୀମାନଙ୍କ ପାଇଁ ସାମୟିକ ଆଶ୍ରୟ ସ୍ଥଳର ସୁବିଧା ସହିତ ପାନୀୟ ଜଳ, ଶୌଚାଳୟ ଓ ପାର୍କ ଆଦିର ବ୍ୟବସ୍ଥା କରାଯାଇଛି।
ଆଗାମୀ ଦିନରେ କଟକ, ରାଉରକେଲା, ସମ୍ବଲପୁର, କେନ୍ଦୁଝର, ବ୍ରହ୍ମପୁର ଭଳି ଅନ୍ୟ ସହରାଞ୍ଚଳ ଗୁଡିକରେ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ନିର୍ମାଣ କରାଯିବ। ଏହି କେନ୍ଦ୍ର ଗୁଡିକ ଶ୍ରମଜୀବୀମାନଙ୍କ ଗରିମା ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏହାସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶିକ୍ଷା ସହାୟତା, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା, ମୃତ୍ୟୁକାଳୀନ ସହାୟତା ଓ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ବଣ୍ଟନ କରିଥିଲେ ।ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧିନରେ ଅଦ୍ୟାବଧି ପାଖାପାଖି ୪୭ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇ ବିଭିନ୍ନ ସହାୟତା ବାବଦରେ ୩,୯୫୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ରାଶି ଦିଆଯାଇ ସାରିଲାଣି। ଯାହାକି ସେମାନଙ୍କର ଏବଂ ସେମାନଙ୍କ ପରିବାରର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇପାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ନୂତନ ଭାବେ ପଞ୍ଜୀକୃତ କରିବା ସହିତ ୩୭୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।