ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭକୁ ନିଇତି କୋଟି କୋଟି ଶ୍ରଦ୍ଧାଳୁ ଯାଉଛନ୍ତି । ଧର୍ମ, ଆସ୍ଥା ଓ ବିଶ୍ବାସର ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍କଣ୍ଠା । ହେଲେ କୁମ୍ଭରୁ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା । ଦିଲ୍ଲୀର ତ୍ରିଲୋକପୁରୀ ବାସିନ୍ଦା ଅଶୋକ କୁମାର ନାମକ ଏହି ବ୍ୟକ୍ତି ଦୁଇ ସାବାଳକ ପୁତ୍ର ସନ୍ତାନର ଜନକ ହୋଇଥିବା ସତ୍ତ୍ବେ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ତେବେ ପରକୀୟା ପ୍ରୀତିରେ ପତ୍ନୀ ବାଧା ସୃଷ୍ଟି କରୁଥିବାରୁ ଅଶୋକ ପତ୍ନୀ ମୀନାକ୍ଷୀଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ। ଏଥିପାଇଁ ସେ ମୀନାକ୍ଷୀଙ୍କୁ ମହାକୁମ୍ଭରେ ବୁଡ଼ ପକାଇବା ଆଶା ଦେଖାଇ ପ୍ରୟାଗରାଜ ନେଇଥିଲେ। ପତି ପତ୍ନୀ ଗତ ୧୭ରେ ପ୍ରୟାଗରାଜର ଏକ ହୋଟେଲରେ ଅବସ୍ଥାନ କରିଥିବାବେଳେ ୧୮ରେ ସଙ୍ଗମରେ ବୁଡ ପକାଇଥିଲେ। ଅଶୋକ ଏହି ବୁଡ଼ ପକାଇବାର ଭିଡିଓ ଓ ଫଟୋଗୁଡିକୁ ନିଜର ପୁଅମାନଙ୍କ ନିକଟକୁ ପଠାଇଥିଲେ। ତେବେ ୧୮ ରାତିରେ ହୋଟେଲ ରୁମ୍ରେ ଅଶୋକ ଓ ମୀନାକ୍ଷୀଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା।
ମୀନାକ୍ଷୀ ବାଥ୍ରୁମରେ ପ୍ରବେଶ କରିବା ମାତ୍ରେ ଅଶୋକ ପଛପଟରୁ ଏକ ଛୁରି ସାହାଯ୍ୟରେ ତାଙ୍କ ବେକ କାଟିଦେଇଥିଲେ। ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ମୀନାକ୍ଷୀଙ୍କର ମୃତ୍ୟୁ ଘଟିଥିଲା।ରୁମ୍ ବୁକ କରିବା ବେଳେ ପରିଚୟ ପତ୍ର ଦେଇନଥିବାରୁ ହତ୍ୟା ହୋଇଥିବା ମହିଳାଙ୍କ ସମ୍ପର୍କରେ କୌଣସି ସୁରାଗ ପାଇନଥିଲା ପୋଲିସ । ହେଲେ ପୋଲିସ ମୃତ ଶରୀରକୁ ଶବସଂରକ୍ଷଣ ଗୃହରେ ରଖିଥିବା ବେଳେ ମୃତକଙ୍କ ଫଟୋ ସୋସିଆଲ ମିଡିଆରେ ଅପଲୋଡ୍ ବି କରିଥିଲା । ହେଲେ ମୃତକଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିପାରୁନଥିଲା । ଏହାରି ଭିତରେ ଅଶ୍ବିନୀ ନାମକ ଜଣେ ଯୁବକ ନିଜ ମାଆ ନିଖୋଜ ହେବା ନେଇ ପୋଲିସରେ ରିପୋର୍ଟ ପ୍ରକାଶ କରିଥିଲେ । ହେଲେ ପୁଅକୁ ଦେଖିବା ପରେ ପୋଲିସର ସନ୍ଦେହ ବଢିଥିଲା । ପରେ ପରେ ଶବ ଦେଖାଇଥିଲା । ଏହାପରେ ଅଶ୍ବିନୀଙ୍କ ମାଧ୍ୟମରେ ପୋଲିସ ଅଶୋକଙ୍କୁ ପ୍ରୟାଗରାଜ ଡାକିଥିଲା । ଆଉ ପଚରାଉଚରା ପରେ ପୁରା ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା । ମୀନାକ୍ଷୀଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ପ୍ରମାଣିତ ହେବା ପରେ ଅଶୋକକୁ ଗିରଫ କରାଯାଇଛି।