ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନଶକ୍ତି ପୁନର୍ଗଠନ ନେଇ ନିଆଯାଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅଙ୍କୁଶ ଲାଗିଛି। ଚଳିତମାସ ୧୭ରେ ଏ ସଂକ୍ରାନ୍ତୀୟ ଏକ ଆବେଦନର ବିଚାରକରି ହାଇକୋର୍ଟ ବିଚାରପତି ଶଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପୁନର୍ଗଠନ ସମ୍ପର୍କିତ ବିଜ୍ଞପ୍ତି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଙ୍କୁଶ ଲଗାଇଛନ୍ତି। କେନ୍ଦୁଝରର ସର୍ବ ଶକ୍ତି ମାୟୀ ମିଶନ ଶକ୍ତି ଫେଡେରେସନ ଏହି ପୁନର୍ଗଠନ ବିଜ୍ଞପ୍ତି ବିରୁଦ୍ଧରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ସେମାନେ ଯୁକ୍ତି ଦର୍ଶାଇଛନ୍ତି ଯେ ମିଶନ ଶକ୍ତି ସୋସାଇଟିଜ୍ ରେଜିଷ୍ଟ୍ରେସନ ଆକ୍ଟ ଅନ୍ତର୍ଗତ ନିବନ୍ଧିତ ହୋଇଥିବାରୁ, ନିର୍ବାଚିତ ସଦସ୍ୟମାନଙ୍କୁ ହଟାଇବା ପାଇଁ ଏକ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରାଯାଇପାରିବ ନାହିଁ।
ମିଶନ ଶକ୍ତି, ଯାହା ଓଡ଼ିଶାରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସାମିଲ କରି ମହିଳା ସଶକ୍ତିକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଏହାର ପୁନର୍ଗଠନ ନେଇ ବିଜେପି ସରକାରଙ୍କ ନିଷ୍ପତ୍ତି ବିବାଦର କାରଣ ହୋଇଛି। ରାଜ୍ୟ ସରକାରଙ୍କ ଏହି ପୁନର୍ଗଠନ ଯୋଜନା ଅନୁଯାୟୀ, ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ (GPLF), କ୍ଲଷ୍ଟର ସ୍ତରୀୟ ଫେଡେରେସନ (CLF), ଏବଂ ବ୍ଲକ ସ୍ତରୀୟ ଫେଡେରେସନ (BLF) ରେ ନୂଆ ନିଯୁକ୍ତି ପାଇଁ ନିର୍ବାଚନ କରାଯିବ।ଦୁଇଥରରୁ ଅଧିକ ସମୟ ଧରି ଥିବା କାର୍ଯ୍ୟକାରୀ ସଦସ୍ୟ ଉକ୍ତ ପଦରେ ରହିପାରିବେ ନାହିଁ। ଏହାସହିତ ଗୋଟିଏ ପରିବାରର ୨ଜଣ ସଦସ୍ୟ ମଧ୍ୟ କମିଟିରେ ନ ରହିବା ଭଳି କଟକଣା ରହିଥିଲା। ଏହା ସହିତ, ପ୍ରତ୍ୟେକ ପରିବାରକୁ ଆୟ ସୃଷ୍ଟିକାରୀ କାର୍ଯ୍ୟକ୍ରମ ସହ ଯୋଡ଼ିବା ଲକ୍ଷ୍ୟ ରହିଛି।ତେବେ, ଏହି ପୁନର୍ଗଠନ ପ୍ରକ୍ରିୟାକୁ ନେଇ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ସମେତ ବିରୋଧୀ ଦଳମାନେ ତୀବ୍ର ବିରୋଧ କରିଛନ୍ତି। ବିଜେଡି ଅଭିଯୋଗ କରିଛି ଯେ ବିଜେପି ସରକାର ମିଶନ ଶକ୍ତିକୁ ‘ଭାଗ’ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହା ମାଧ୍ୟମରେ ମହିଳାଙ୍କ ସଶକ୍ତିକରଣ ପ୍ରକ୍ରିୟାକୁ ଦୁର୍ବଳ କରୁଛନ୍ତି। ଏହା ପୂର୍ବରୁ ମିଶନ ଶକ୍ତିର ସଦସ୍ୟମାନେ ଗତ ଡିସେମ୍ବର ମାସରେ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଅନୁଦାନ ବନ୍ଦ ହେବା ବିରୁଦ୍ଧରେ ପ୍ରତିବାଦ କରିଥିଲେ।