
ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଯୁନିଫାଏଡ ଅଟୋମେସନ ବ୍ୟବସ୍ଥାକୁ ବିରୋଧ କରି ନୟାଗଡ଼ ଜିଲ୍ଲା ମିଳିତ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ଶିକ୍ଷମନ୍ତ୍ରୀ ଏବଂ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ(ପିଷ୍ଟା),ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ଆଦି ପକ୍ଷରୁ ଶିକ୍ଷକ ମାନେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଭିତ୍ତିଭୂମିର ଅଭାବ ଯଥା ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି, ମୋବାଇଲ, ଇଣ୍ଟରନେଟ, କମ୍ପୁଟର ସୁବିଧା ଓ କମ୍ପୁଟର ଶିକ୍ଷକ ଯୋଗାଇ ୟୁ.ଏ.ଏସ୍ ପୋର୍ଟାଲ ବ୍ୟବସ୍ଥା ଲାଗୁକରିବାକୁ ଶିକ୍ଷକ ସଂଗଠନ ଗୁଡ଼ିକ ପକ୍ଷରୁ ଦାବି ରଖାଯାଉଛି ।

ଅପରପକ୍ଷରେ ଉପାନ୍ତ ଅଞ୍ଚଳରେ ମଧ୍ୟ ମୋବାଇଲ୍ ନେଟୱାର୍କ ନଥିବାରୁ ୟୁନିଫାଏଡ଼ ଅଟୋମେସନ ସିଷ୍ଟମ କାର୍ଯ୍ୟକାରୀ କରିବା କଷ୍ଟସାଧ୍ୟ । ଏହି ବ୍ୟବସ୍ଥା ଅନ୍ୟ କୌଣସି ବିଭାଗର କର୍ମଚାରୀ ମାନଙ୍କ ପାଇଁ ଲାଗୁ ନକରି କେବଳ ଶିକ୍ଷା ବିଭାଗରେ ଲାଗୁ କଲେ ଏହା ଶିକ୍ଷକ ମାନଙ୍କ ପାଇଁ ଅନ୍ୟାୟ ହେବ ବୋଲି ଶିକ୍ଷକ ନେତା ମାନେ କହିଛନ୍ତି । ସୂଚନା ଯୋଗ୍ୟ ଯେ ଯୁନିଫାଏଡ ଅଟୋମେସନ ବ୍ୟବସ୍ଥାରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥାନ ଅନଲାଇନ ମାଧ୍ୟମରେ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଘୋର ଆପତ୍ତି ଉଠାଇଛନ୍ତି ଶିକ୍ଷକ ସଂଗଠନ ମାନେ। ଜିଲ୍ଲା ଶିକ୍ଷାଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ଏହି ଦାବିପତ୍ର ଗ୍ରହଣ କରିଥିଲେ। ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲାର ସମସ୍ତ ୮ଟି ବ୍ଲକରୁ ଶତାଧିକ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।