ଆଜି ଭୁବନେଶ୍ବର ଲୋକସେବା ଭବନର ସମ୍ମିଳନୀ କକ୍ଷରେରେ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’ ଆୟୋଜିତ ହୋଇଯାଇଛି । ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୫ଟି ରାଜ୍ୟରୁ ଆସିଥିବା ଲକ୍ଷପତି ଦିଦିଙ୍କୁ ସ୍ବାଗତ କରି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମହିଳାଙ୍କ ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି ।ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ମିସନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି, ୯୮ ପ୍ରତିଶତ ଲକ୍ଷପତି ଦିଦି ସୃଷ୍ଟି କରି ନୟାଗଡ଼ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି।
ଦେଶର ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣିବାରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ମାତ୍ର ବର୍ଷକ ଭିତରେ ରାଜ୍ୟରେ ୧୬ ଲକ୍ଷ ୪୦ ହଜାର ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି ଏବଂ ଲକ୍ଷପତି ଦିଦି ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ରାଜ୍ୟରେ ମହିଳାଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି। ଏଯାବତ୍ ମୋଟ ୧୭ ହଜାର ୫୦୦ କୋଟି ଟଙ୍କାର ଋଣ ମହିଳାଙ୍କୁ ପ୍ରଦାନ କରାଯାଇଛି ଯାହା ଲକ୍ଷପତି ଦିଦି ସୃଷ୍ଟି ରେ ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦିଙ୍କ ଉପରେ ଆଧାରିତ କଫି ଟେବୁଲ୍ ବୁକର ଉନ୍ମୋଚନ କରିଛନ୍ତି ।