ଘରେ ପ୍ରି-ପେଡ୍ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ। ବିଦ୍ୟୁତ୍ ଉପଭୋକ୍ତାମାନେ ନିଜ ସୁବିଧା ଅନୁଯାୟୀ ପ୍ରିପେଡ୍ କିମ୍ବା ପୋଷ୍ଟପେଡ୍ ମିଟର୍ ନିଜ ଘରେ ଲଗାଇପାରିବେ ବୋଲି ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଗ୍ରାହକଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନଙ୍କ ଘରେ ସ୍ମାର୍ଟ ମିଟର୍ ଲଗାଇବା ପାଇଁ ଡିସକମ୍ କର୍ମଚାରୀଙ୍କୁ ସହଯୋଗ କରନ୍ତୁ। ଯଦି ଗୋଟିଏ ଷ୍ଟ୍ୟାଟିକ୍ ମିଟର୍ ଗ୍ରାହକଙ୍କ ଘରେ ଲାଗିଛି ଏବଂ ଏହି ମିଟର୍ ସଠିକ୍ ଭାବେ କାର୍ଯ୍ୟ କରୁଛି, ତେବେ ସେହି ମିଟର୍ ସ୍ଥାପନ ଦିନଠାରୁ ୫ ବର୍ଷ ମଧ୍ୟରେ ବଦଳାଯିବ ନାହିଁ। ଘରେ ସ୍ମାର୍ଟ ମିଟର୍ ଲଗେଇବା ଦ୍ବାରା ଖାଲି ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାର ସାମଗ୍ରିକ ଦକ୍ଷତା ଏବଂ କାର୍ଯ୍ୟକାରିତା ବୃଦ୍ଧି ହୁଏ ନାହିଁ ବରଂ ଗ୍ରାହକଙ୍କୁ ମଧ୍ୟ ପ୍ରକୃତରେ କେତେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି ତା’ର ରିଅଲ-ଟାଇମ୍ ଶକ୍ତି ସଞ୍ଚୟ ମୂଲ୍ୟାଙ୍କନ କରିବାକୁ ସୁବିଧା ହୁଏ। ଯଦ୍ବାରା ସେମାନେ ବିଦ୍ୟୁତ୍ ବ୍ୟବହାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରନ୍ତି। ଡିସକମ୍ ଦ୍ୱାରା ଲଗାଯାଉଥିବା ସ୍ମାର୍ଟ ମିଟରଗୁଡ଼ିକର ଗୁଣବତ୍ତା ଯାଞ୍ଚ ସମ୍ପୂର୍ଣ୍ଣ ଭାବରେ କରାଯାଏ ଏବଂ ଏନ୍ଏବିଏଲ୍ ଦ୍ୱାରା ପ୍ରମାଣିତ ମଧ୍ୟ ହୋଇଥାଏ। ତେଣୁ ସ୍ମାର୍ଟ ମିଟର ସ୍ଥାପନ ଯୋଗୁଁ ଅଧିକ ବିଦ୍ୟୁତ୍ ବିଲ୍ ବୃଦ୍ଧି ପାଇବାର ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଶକ୍ତି ବିଭାଗ କହିଛି।
