୩୦ ଟଙ୍କାରେ ବିକ୍ରି ହେବ ଆଳୁ ନଚେତ କାର୍ଯ୍ୟାନୁଷ୍ଠାନ ନିଆଯିବ

ଆଳୁ ଟ୍ରକ ବନ୍ଦ ନେଇ ନବୀନଙ୍କ ଆଡକୁ ଦୋଷ ଠେଲିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ବର୍ଡର ଡେଇଁ ଆଳୁ ଯେପରି ଓଡ଼ିଶାକୁ ନଯାଏ, ସେଥିପାଇଁ ଦିଦିଙ୍କ ନିର୍ଦ୍ଦେଶରେ ଚାଲିଛି କଡ଼ା ପାଟ୍ରୋଲିଂ। ରାଜ୍ୟକୁ ଆଳୁ ଟ୍ରକ୍ ଆସିବା କମିବାରୁ ଦର ବି ଉପରମୁହାଁ ହେଲାଣି। ଯାହାକୁ ନେଇ ଚିନ୍ତାରେ ଖାଉଟୀ ଓ ବ୍ୟବସାୟୀ।

ଏସବୁ ଭିତରେ ଭାଇ-ଭଉଣୀ ସଂପର୍କ ପ୍ରସଙ୍ଗ ଉଠାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି ଯୋଗାଣ ମନ୍ତ୍ରୀ।ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ କାହିଁକି ବାରମ୍ବାର ଏଭଳି କରୁଛି ମୁଁ ଜାଣିନାହିଁ। ଭାଇ କହିଥିବେ ବୋଲି ଭଉଣୀ ବନ୍ଦ କରିଥିବେ କିମ୍ବା ଭାଇ ଚିଠି ଲେଖିଥିବେ, ସେଥିପାଇଁ ଆଳୁ ଦେଉନାହାନ୍ତି। ତେବେ କଣ ପାଇଁ ବନ୍ଦ କରାଯାଇଛି ଅନୁଧ୍ୟାନ କରିବି। ଦିନକ ଭିତରେ ୮ ଟଙ୍କା ବଢ଼ି କିଲୋ ୩୫ରେ ପହଞ୍ଚିଲାଣି ଆଳୁ।ତେବେ ୩୦ ଟଙ୍କାରେ ଆଳୁ ବିକ୍ରି ହେବ ବୋଲି ବୈଠକ ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଢ଼ା ଦରରେ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ