ରାସ୍ତା ଭଟକି ଗଲେ, ନୂଆ ସ୍ଥାନରେ କିମ୍ବା ଠିକଣା ସ୍ଥାନରେ ପହଞ୍ଚିବାକୁ ହେଲେ ବାଟ ବତାଇଥାଏ ଗୁଗୁଲ ମ୍ୟାପ୍। ହେଲେ ଏବେ ସେହି ଗୁଗୁଲ ମ୍ୟାପ୍ ମୃତ୍ୟୁର କାରଣ ସାଜିଛି। ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜିପିଏସ୍ ସିଷ୍ଟମ ବା ଗୁଗଲ୍ ମ୍ୟାପ୍ ଭରସାରେ ଯାଉଥିବା ଏକ ଗାଡ଼ି ବ୍ରିଜ୍ ତଳକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଗ୍ରାମବାସୀ ରାମଗଙ୍ଗା ନଦୀକୁ ଯାଇଥିବା ବେଳେ ସେଠାରେ ଏକ କାର୍ କ୍ଷତିଗ୍ରସ୍ତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ । କାରରେ ଥିବା ସମସ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଏକ ବିବାହ ଭୋଜରେ ଯୋଗ ଦେବା ପାଇଁ ୩ ଜଣକ ସାଙ୍ଗ ଗୁରୁଗ୍ରାମରୁ ରାଇବରେଲିକୁ କାର୍ ଯୋଗେ ବାହାରିଥିଲେ। ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ସାହାରା ନେଇଥିଲେ ଗୁଗୁଲ ମ୍ୟାପ୍ର। ଯେଉଁ ବାଟ କଢ଼େଇ ନେଲା ଗୁଗୁଲ ମ୍ୟାପ୍ ସେହି ବାଟ ଦେଇ ଚାଲିଥିଲେ କାର୍ ଡ୍ରାଇଭର। ଶେଷରେ ଗୁଗୁଲ ମ୍ୟାପ୍ର ଜିପିଏସ୍ ସିଷ୍ଟମ୍ ସେମାନଙ୍କୁ ଏକ ଅଧା ଗଢ଼ା ପୋଲ ଉପରେ ଆଣି ଛାଡି ଦେଇଥିଲା। ତେବେ ଅସମ୍ପୂର୍ଣ୍ଣ ବ୍ରିଜରୁ ଗାଡ଼ିଟି ଖସିପଡ଼ିଥିଲା । କାରରେ ୩ ଜଣ ଥିଲେ ।