ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଅପିଲ କରିଛନ୍ତି। ତେବେ ନୁଆପଡ଼ାରେ ବିଜେପି ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ତ୍ତମାନ ନୂଆପଡ଼ାରେ ସାଇଲେନ୍ସ ପିରିୟଡ ବା ନୀରବ କାଳ ଜାରି ରହିଛି। ଏହି ସମୟ ମଧ୍ୟରେ ବାହାର ଅଞ୍ଚଳର କୌଣସି ନେତା କିମ୍ବା କର୍ମୀ ନିର୍ବାଚନମଣ୍ଡଳୀରେ ରହିବା ଅନୁଚିତ। ହେଲେ ବିଜେପିର ବାହାର ନେତା ଏବଂ କର୍ମୀ ନୂଆପଡ଼ାରେ ଡେରା ପକାଇଥିବା ଅଭିଯୋଗ କରିଛନ୍ତି ନବୀନ। ନବୀନ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଲେଖିଛନ୍ତି,ଏହା ସୂଚାଇ ଦେଉଛି ଯେ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ଶାସକ ଦଳର ହାତବାରିସି ସାଜି ନିର୍ବାଚନର ନିରପେକ୍ଷତାକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି। ଏହା ଗଣତନ୍ତ୍ରର ମୂଳଦୂଆକୁ ପ୍ରଭାବିତ କରିବା ସହ ଲୋକଙ୍କ ବିଶ୍ବାସକୁ ନଷ୍ଟ କରୁଛନ୍ତି। ଏଭଳି କାର୍ଯ୍ୟ ଯଦି ଅବୈଧ ଭାବେ ଜାରି ରହେ, ତେବେ ନୂଆପଡ଼ା ଉପନିର୍ବାଚନର ବିଶ୍ବସନୀୟତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ। ତେଣୁ ନିର୍ବାଚନ କମିଶନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଅପିଲ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।
