ଓଡ଼ିଶାରେ ଅନୁଷ୍ଠିତ ହେଉଛି ୮୪ତମ ଇଣ୍ଡିଆନ ରୋଡ୍ସ କଂଗ୍ରେସ ବା ଆଇଆର୍ସି ମହାକୁମ୍ଭ । ୧୯୩୪ ମସିହାରୁ ଆଇଆର୍ସି ଗଠନ ହୋଇଥିବା ବେଳେ ଏଯାବତ୍ ଓଡ଼ିଶାରେ ଆଇଆର୍ସିର ୫ଟି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି । ପୁଣି ଥରେ ୬ଷ୍ଠ ଥର ପାଇଁ ଆୟୋଜନ କରିବାର ସୁଯୋଗ ପାଇଛି ଓଡ଼ିଶା । ଏହି ମହାକୁମ୍ଭକୁ ଉଦ୍ଘାଟନ କରି ସମ୍ବୋଧିତ କରିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ । ୨୦୧୫ ପରେ ପୁଣି ଏକ ଦଶନ୍ଧି ବ୍ୟବଧାନରେ ଓଡ଼ିଶା ଆଇଆର୍ସି ଆୟୋଜନ କରିବାକୁ ଯାଉଛି । ସଡ଼କ ଭିତ୍ତିଭୂମିକୁ ନେଇ ବିଶେଷଜ୍ଞ ଓ ଯନ୍ତ୍ରୀଙ୍କ ମଧ୍ୟରେ ଜ୍ଞାନ ଆଦାନପ୍ରଦାନର ସେତୁ ପାଲଟିବ ଏହି ବୃହତ୍ତ ସମ୍ମିଳନୀ । ଜନତା ମଇଦାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଓଡ଼ିଶାର ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଉଦଘାଟନୀ ସମାରୋହ ପରେ ଆଇଆର୍ସିର ୨୩୫ତମ କାଉନସିଲ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଆଇଆଇଟି, ଏନଆଇଟି, ଇଂଜିନିୟରିଂ ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ନେଇ ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ । ବୈଜ୍ଞାନିକ ଏବଂ ରିସର୍ଚ୍ଚ ଓ ଡେଭଲପମେଣ୍ଟ ସଂଗଠନର ଅଧିକାରୀଙ୍କୁ ନେଇ ଏକ ଅଧିବେଶନ ଅନୁଷ୍ଠିତ ହେବ । ଠିକାଦାର, ପରାମର୍ଶଦାତା ଓ ସ୍ୱେଚ୍ଛାସେବୀଙ୍କୁ ନେଇ ଅନ୍ୟ ଗୋଟିଏ ବୈଷୟିକ ଅଧିବେଶନ ଆୟୋଜିତ ହେବ ।
୮ ତାରିଖରେ ରାଜପଥ ଗବେଷଣା ପରିଷଦର ୮୫ ତମ ବୈଠକ ଅନୁଷ୍ଠିତ ହେବ । ଅନ୍ତର୍ଜାତୀୟ ସଂଗଠନ ଏବଂ ବହୁପାକ୍ଷିକ ଏଜେନ୍ସିକୁ ନେଇ ଅଧିବେଶନ କରାଯିବ । ଆଉ ଏକ ଅଧିବେଶନରେ ସଡ଼କ ନିର୍ମାଣରେ ବ୍ୟବହୃତ ସୃଜନ ଜ୍ଞାନ, ସ୍ଥାୟୀ ଏବଂ ସୁହାଇବା ଭଳି ମୂଲ୍ୟରେ ସଡ଼କ ନିର୍ମାଣ ଏବଂ ଏ ସମ୍ବନ୍ଧୀୟ ସଫଳ କାହାଣୀମାନ ଉପସ୍ଥାପିତ ହେବ । ରୋଡ ଟନେଲ ପ୍ରସ୍ତୁତି ଏବଂ ରାଜଥରେ ଅଣ୍ଡରଗ୍ରାଉଣ୍ଡ ନିର୍ମାଣ କୌଶଳ ସଂପର୍କରେ ଏକ ଅଧିବେଶନ ଅନୁଷ୍ଠିତ ହେବ । ୯ ତାରିଖରେ ପୂର୍ତ୍ତ ବିଭାଗର ସଚିବ ଓ ପ୍ରମୁଖ ସଚିବମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ । ବୈଷୟିକ ଅଧିବେଶନରେ ଭାରତରେ ସଡ଼କ ନିର୍ମାଣରେ ହୋଇଥିବା ଗବେଷଣା କାର୍ଯ୍ୟର ଉପସ୍ଥାପନା କରାଯିବ । ଗ୍ରାମୀଣ ସଡ଼କ ନିର୍ମାଣ ବେଳେ ସୃଷ୍ଟି ହୋଇଥିବା ଆହ୍ୱାନ ଓ ସଫଳ କାହାଣୀକୁ ନେଇ ଏକ ଅଧିବେଶନ କରାଯିବ । ଭୂମି ଅଧିଗ୍ରହଣ ସଂକ୍ରାନ୍ତରେ ଜାତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଆଲୋଚନା କରିବେ ।
