ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ ।

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହେବ। ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହେବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ସେହି ପରମ୍ପରା ଅନୁଯାୟୀ ଶନିବାର ଦିନ ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ ।

ସୋଲ,ଜରି, କନା, କଇଥ ଅଠାରେ ପ୍ରସ୍ତୁତ ପଦ୍ମବେଶକୁ ବଡଛତା ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । କୀରୀଟ,ଚୂଳ, ହୃଦପଦକ, କରପଲ୍ଲବ,ଶ୍ରୀମୁଖ ପଦ୍ମରେ ବିଭୂଷିତ ହୋଇ ଝଲସିଥାନ୍ତି ମହାପ୍ରଭୁ।କିମ୍ବଦନ୍ତୀ ଅନୁଯାୟୀ, ସନ୍ଥ ମନୋହର ଦାଶଙ୍କ ପାଇଁ ପ୍ରଭୁ ଶ୍ରୀପଞ୍ଚମୀ ପୂର୍ବରୁ ଏହି ବେଶରେ ଦର୍ଶନ ଦେଇଥିଲେ। ତେଣୁ ବଡ଼ଛତା ମଠ ପକ୍ଷରୁ ଏହି ବେଶ ପ୍ରସ୍ତୁତ କରାଯାଇଥାଏ। ଦ୍ୱାଦଶ ଶତାଦ୍ଦୀରେ ସନ୍ଥ ମନୋହର ଦାଶ ଶୀତ ଦିନରେ ପୁଷ୍କରଣୀରୁ ପଦ୍ମ ନିଜ ଗାମୁଛାରେ ସଂଗ୍ରହ କରି ମହାପ୍ରଭୁଙ୍କ ଲାଗି ପାଇଁ ଆଣିଥିଲେ। ତେବେ ଫୁଲ ଗୁଡ଼ିକ ସବୁ ମଳିନ ପଡ଼ିଯାଇଥିବାରୁ ସେଠାରେ ଥିବା ପଣ୍ଡା ମାନେ ତାଙ୍କୁ ସେଠାରୁ ଫେରାଇ ଦେଇଥିଲେ। ସେହିଦିନ ରାତିରେ ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜପତି ମହାରାଜାଙ୍କୁ ସ୍ୱପ୍ନାଦେଶ କରିବା ପରେ ପଦ୍ମବେଶରେ ଦର୍ଶନ ଦେଇଥିଲେ। ସେହିଦିନ ଠାରୁ ବଡ଼ଛତା ମଠ ପକ୍ଷରୁ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ଯୋଗାଇ ଆସୁଥିବା ପରମ୍ପରା ଚାଲି ଆସୁଛି।

ଅଧିକ ପଢନ୍ତୁ