ଏକଜିଟ୍ ପୋଲରେ ସତ୍ତା ପରିବର୍ତ୍ତନର ସୁରାକ୍

ବଦଳିଲା ଦିଲ୍ଲୀର ସମୀକରଣ। ଚମକାଇ ଦେଇଛି ଦିଲ୍ଲୀ ନିର୍ବାଚନକୁ ନେଇ ଏକଜିଟ୍ ପୋଲ ସର୍ଭେ। ୨୭ ବର୍ଷର ବନବାସ ସାରି ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିବା ନେଇ ଅଧିକାଂଶ ବୁଥ ବାହୁଡା ସର୍ଭେ ସଙ୍କେତ ଦେଇଛନ୍ତି।ଦିଲ୍ଲୀ ବିଧାନସଭାରେ ମୋଟ ୭୦ଟି ଆସନ ଥିବାବେଳେ, ଅଧିକାଂଶ ଏକଜିଟ୍ ପୋଲରେ ବିଜେପିକୁ ୩୫ରୁ ୪୦ ଆସନ ମିଳିପାରେ ବୋଲି ଅନୁମାନ କରାଯାଉଛି । ଯାହାକି ସରକାର ଗଠନ କରିବାକୁ ଯଥେଷ୍ଟ ହେବ । ଅନ୍ୟପଟେ ଆପ୍ କିନ୍ତୁ ଏଥର ନିର୍ବାଚନରେ ବଡ଼ କ୍ଷତି ସହିପାରେ ବୋଲି ଏକଜିଟ୍ ପୋଲରେ ଦେଖିବାକୁ ମିଳୁଛି । ତେଣୁ ଏକଜିଟ୍ ପୋଲ୍ ଯଦି ଏକଜାଟ୍ ପୋଲ୍ ହୁଏ, ତେବେ ଦିଲ୍ଲୀରେ ସତ୍ତାର ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।ଏନଡିଟିଭି ପୋଲ୍ ଅଫ୍ ଏକଜିଟ୍ ପୋଲ୍ସ ବିଜେପିକୁ ୪୧ଟି ସିଟ୍ ଦେଇଥିବା ବେଳେ ଆପକୁ ୨୮ଟି ସିଟ୍ ଦେଇଛି। ଏହାସହ କଂଗ୍ରେସ ଗୋଟିଏ ସିଟରେ ଜିତିପାରେ ବୋଲି ଆକଳନ କରିଛି। ଯଦି ଆକଳନ ସତ ହୁଏ ତାହେଲେ ଦଶନ୍ଧୀ ପରେ ଦିଲ୍ଲୀ ଦଖଲ କରିବ ବିଜେପି।୧୩ ହଜାର ୭୬୬ଟି ବୁଥରେ ୧ କୋଟି ୫୬ ଲକ୍ଷ ମତଦାତା ନିଜ ମତ ସାବ୍ୟସ୍ତ କରିଛନ୍ତି ।

ଦିଲ୍ଲୀରେ ତ୍ରିମୁଖୀ ଲଢେଇ ହୋଇଥିଲେ ବି ମୁଖ୍ୟତଃ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଟକ୍କର ହୋଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିଥିଲା । ଦିଲ୍ଲୀର କିଛି ହାଇପ୍ରୋଫାଇଲ ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା । ନୂଆଦିଲ୍ଲୀ ବିଧାନସଭା ଆସନରୁ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଟକ୍କର ଦେଇଥିଲେ ବିଜେପି ନେତା ପରଭେଶ ବର୍ମା ।

ଅଧିକ ପଢନ୍ତୁ