ରାଜ୍ୟରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା ସହ ସମସ୍ୟା ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଏଣିକି ସଚିବମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବେ। ଏ ନେଇ ବୁଧବାର ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।ଏହି ଗସ୍ତ ସମୟରେ ଜିଲାର ଯେକୌଣସି ସ୍ଥାନକୁ ପରିଦର୍ଶନ କରିବା ସହ ପଞ୍ଚାୟତକୁ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ ବି କରିବେ।
ଦିନକୁ ଅତିକମ୍ରେ ଥରେ କୌଣସି ଆହାର କେନ୍ଦ୍ର, ଅନୁସୂଚିତ ଜାତି/ଜନଜାତି ଛାତ୍ରାବାସ, ସ୍କୁଲକୁ ଯାଇ ମଧ୍ୟାହ୍ନଭୋଜନ ଖାଦ୍ୟର ଗୁଣବତ୍ତା ପରୀକ୍ଷା କରିବା ସହ ଭୋଜନ କରିବେ। କୌଣସି ଏକ ମେଡିକାଲକୁ ଯାଇ ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟସେବା ବିଷୟରେ ପଚାରି ବୁଝିବେ। ଏଥିସହିତ ଅଙ୍ଗନଓ୍ବାଡ଼ି ହିତାଧିକାରୀଙ୍କ ସହ ଆଲୋଚନା କରିବେ। ଏହା ବ୍ୟତୀତ ସଚିବମାନେ ଜିଲ୍ଲା ଖଣିଜ ପାଣ୍ଠି ଥିବା ୮ଟି ଜିଲ୍ଲା ଗସ୍ତ କରି ପାଣ୍ଠି ବିନିଯୋଗ ସମ୍ପର୍କରେ ସମୀକ୍ଷା କରିବେ ବୋଲି କୁହାଯାଇଛି। ରାଜ୍ୟ ସରକାର ପ୍ରତି ୯୦ ଦିନରେ ସଚିବମାନଙ୍କ ଦାୟିତ୍ୱ ପରିବର୍ତ୍ତନ କରିବେ। ଏହି କାର୍ଯ୍ୟକ୍ରମକୁ ଅଧିକ ପାରଦର୍ଶୀ କରିବା ପାଇଁ ଏକ ପୋର୍ଟାଲ ଖୋଲାଯିବ ଓ ସେଥିରେ ସଚିବମାନଙ୍କ ରିପୋର୍ଟ ଅପଲୋଡ଼ ହେବ ବୋଲି କୁହାଯାଇଛି।