ଏପ୍ରିଲରୁ ମହଙ୍ଗା ହେବାକୁ ଯାଉଛି ଗାଡ଼ି । ମାରୁତୁ ସୁଜୁକି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ହ୍ୟୁଣ୍ଡାଇ ଭଳି କମ୍ପାନିଗୁଡ଼ିକ ଦର ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି । କଞ୍ଚାମାଲ ଏବଂ ପରିଚାଳନା ଖର୍ଚ୍ଚ ବୃଦ୍ଧିକୁ ନଜରରେ ରଖି କମ୍ପାନି ଗୁଡ଼ିକ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ମାରୁତି ସୁଜୁକି ଏହାର ସମ୍ପୂର୍ଣ୍ଣ ଲାଇନ-ଅପ୍ର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । ମାରୁତି ସୁଜୁକି କାରର ମୂଲ୍ୟ କେତେ ବୃଦ୍ଧି ପାଇବ ସେ ବିଷୟରେ ଅଟୋ ନିର୍ମାତା ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାଁନ୍ତି । କିନ୍ତୁ କମ୍ପାନୀ କହିଛି ଯେ ବଢିଥିବା ଇନପୁଟ୍ ଖର୍ଚ୍ଚ ଏବଂ ପରିଚାଳନା ଖର୍ଚ୍ଚ ଯୋଗୁଁ କାରଗୁଡ଼ିକର ମୂଲ୍ୟ ବୃଦ୍ଧି କରାଯାଉଛି । ଏପ୍ରିଲରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏହାର ଏସ୍ୟୁଭି ଏବଂ କମର୍ସିଆଲ ଯାନ ଦର ୩% ଯାଏ ବୃଦ୍ଧି କରିବ ।
ସେହିଭଳି କିଆ ଇଣ୍ଡିଆ, ହୋଣ୍ଡା କାର୍ସ ଇଣ୍ଡିଆ, ରେନୋ ଇଣ୍ଡିଆ ଏବଂ ବିଏମ୍ଡବ୍ଲ୍ୟୁ ଆସନ୍ତା ମାସରୁ ଯାନ ଦର ବଢ଼ାଇବା ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି । ଅଟୋ ଶିଳ୍ପ ବିଶେଷଜ୍ଞ ରଜତ ମହାଜନ କହିଛନ୍ତି, ଭାରତରେ କାର୍ କମ୍ପାନିଗୁଡ଼ିକ ସାଧାରଣତଃ ଜାନୁଆରି ଏବଂ ଏପ୍ରିଲରେ ଦର ବୃଦ୍ଧି କରିଥାନ୍ତି । ସାମଗ୍ରୀ ଆମଦାନି କରିବାକୁ କମ୍ପାନିଗୁଡ଼ିକ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ତେବେ ଟାଟା ମୋଟର୍ସ ମଧ୍ୟ ICE, CNG ଏବଂ ଇଲେକ୍ଟ୍ରିକ୍ କାର ଗୁଡିକର ମୂଲ୍ୟ ୩ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛି । ଏହି ବ୍ରାଣ୍ଡର ନେକ୍ସନ, ପଞ୍ଚ, କର୍ଭ, ହାରିଅର, ସଫାରି, ଟିଗୋର, ଟିଆଗୋ ଏବଂ ଅଲଟ୍ରୋଜ ଭଳି ଗାଡ଼ିଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି । କାରର ମୂଲ୍ୟ ବୃଦ୍ଧି ସମ୍ପର୍କରେ ଅଟୋମେକରମାନେ କହିଛନ୍ତି ଯେ ବଢିଥିବା ଇନପୁଟ୍ ଖର୍ଚ୍ଚ ଯୋଗୁଁ କାର୍ ମୂଲ୍ୟ ବୃଦ୍ଧି କରିବା ଆବଶ୍ୟକ ।