ପୁଣି ଅଙ୍ଗନବାଡ଼ି କେନ୍ଦ୍ରରୁ ଆସିଲା ଅଭାବବନୀୟ ଘଟଣା। ମୂଷା ମରା ଔଷଧ ଖାଇଦେଲେ ଅଙ୍ଗନବାଡ଼ିର ଛୋଟ ଛୋଟ ପିଲା। ଏହି ମୂଷା ମରା ଔଷଧ ଖାଇ ଅଙ୍ଗନବାଡିର ପାଖାପାଖି ୬ ଜଣ ପିଲା ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଡାକ୍ତରଖାନାର ଶିଶୁ ୱାର୍ଡରେ ଶିଶୁମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନେ ବିପଦମୁକ୍ତ ରହିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ଏହି ଶିଶୁ ମାନଙ୍କ ମଧ୍ୟରେ ୨ ଜଣ ବାଳକ ଓ ୪ ଜଣ ବାଳିକା ଥିବା ଜଣାପଡିଛି । ସମସ୍ତଙ୍କ ବୟସ ୩ରୁ ୪ବର୍ଷ ବୋଲି ଜଣାପଡିଛି ।
ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ମୋଟ୍ ୬ ଜଣ ଶିଶୁ ଥିଲେ । ସମସ୍ତ ଶିଶୁ ସ୍ଥାନୀୟ ଜଂଖିରା ଗ୍ରାମର । ତେବେ ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ମୂଷା ମାନଙ୍କ ଉତ୍ପାତ କରୁଥିବାରୁ ମୂଷା ମାରିବା ପାଇଁ କେନ୍ଦ୍ରର ଅଙ୍ଗନୱାଡ଼ି ଦିଦି ଉର୍ମିଳା ବେହେରା ଦାନାଦାର ତାଙ୍କ ବ୍ୟାଗରେ ରଖିଥିଲେ । ମାତ୍ର କେନ୍ଦ୍ରରେ ପଢ଼ୁଥିବା ତାଙ୍କ ଝିଆରୀ ବ୍ୟାଗରୁ ଏହି ଦାନାଦାର ପ୍ୟାକେଟ୍ ବାହାର କରି ଅନ୍ୟ ଶିଶୁ ସହିତ ପାଟିରେ ଚିଣ୍ଡାଇ ପକାଇଥିବା ଦେଖାଯାଇଥିଲା । ପରେ ଘଟଣା ଜଣା ପଡିବା ପରେ ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ସମସ୍ତ ପିଲାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ସେମାନେ ସୁସ୍ଥ ଥିବା ସୂଚନା ମିଳିଛି।