ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ବଡ଼ ଖବର । ରାଜ୍ୟର ସବୁ ଜିଲ୍ଲାପାଳ ଓ ଆରଡିସିଙ୍କ ଛୁଟି ବାତିଲ । ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଦେଶର ପଶ୍ଚିମ ଭାଗରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଛୁଟିରେ ଥିବା ଜିଲ୍ଲାପାଳ ଓ ଆରଡିସିଙ୍କୁ ତୁରନ୍ତ ମୁଖ୍ୟାଳୟକୁ ଫେରିବା ସହ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି । ଏହି ସମୟରେ କୌଣସି ଛୁଟି ମଂଜୁର ହେବ ନାହିଁ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ସେହିପରି ସବୁ ଆଇପିଏସ ଅଫିସରଙ୍କ ଛୁଟି ବାତିଲ ହୋଇଛି । ଏନେଇ ଗୃହ ବିଭାଗର ଅତିରିକ୍ତ ସଚିବ ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟରତ ସମସ୍ତ ଡାକ୍ତର, ଅଧିକାରୀ ଓ ପଦାଧିକାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ଏନେଇ ଏମ୍ସ ପକ୍ଷରୁ ନୋଟିସ ଜାରି କରାଯାଇଛି ।