ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ହାତୀକୁ ଟ୍ରାଙ୍କୁଲାଇଜ୍ କରାଗଲା। ଏହାପରେ ହାତୀ ଶରୀରରେ ରେଡିଓ କଲାର ଲଗାଯାଇଥିବା ବେଳେ ଏବେ ହାତୀର ଗତିବିଧି ଉପରେ ବନ ବିଭାଗର ରଖିବ ତୀକ୍ଷଣ ନଜର। ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅଧୀନ ତୋଡା ଫରେଷ୍ଟ ଅଞ୍ଚଳରେ ଆଜି ଦନ୍ତା ହାତୀକୁ ଟ୍ରାଂକୁଲାଇଜ କରା ଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ୫ଟି ଟିମ୍ରେ ୬୦ ଜଣ ଅଧିକାରୀ ଓ କର୍ମଚାରୀ ତୋଡା ଫରେଷ୍ଟ ଅଞ୍ଚଳରେ ପହଞ୍ଚିଥିଲେ। ପ୍ରାୟ ୫ ଘଣ୍ଟା କାଳ ହାତୀର ଗତିବିଧି ନିରୀକ୍ଷଣ କରିବା ପରେ ତାହାକୁ ଟ୍ରାଙ୍କୁଲାଇଜ କରିଥିଲେ କର୍ମଚାରୀ। ଏହାପରେ ତୁରନ୍ତ ତା’ ଶରୀରରେ ଏହି ରେଡ଼ିଓ କଲାର (ଜିପିଏସ) ଲଗାଇ ଦିଆଯାଇଛି । ହାତୀଟିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ବେଳେ ସେ ସୁସ୍ଥ ଥିବା ଜଣାଯାଇଛି।
