ଡିଜିପି-ଆଇଜିପି ସମ୍ମିଳନୀର ଆଜି ଦ୍ୱିତୀୟ ଦିନ

ଡିଜି-ଆଇଜି ସମ୍ମିଳନୀରେ ଆଜି ୨ୟ ଦିନ । ଆଜିର ଏହି ସମ୍ମିଳନୀରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିପାଇଁ ପ୍ରଥମେ ସକାଳ ୮ଟା ୫ ମିନିଟରେ ଆଇପିଏସ୍‌ ମେସ୍‌ରୁ ବାହାରି ୮ ଟା ୧୫ରେ ସମ୍ମିଳନୀ କକ୍ଷରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତାଙ୍କ ପରେ ୮ଟା ୨୦ରୁ ରାଜଭବନରୁ ବାହାରି ୮.୨୫ ମିନିଟରେ ଲୋକସେବା ଭବନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସକାଳ ୮ ଟା ୩୦ ରୁ ଆଲୋଚନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ବିଜନେସ ସେସନ, ବ୍ରେକ ଆଉଟ୍ ସେସନ, ଥିମାଟିକ୍ ଡାଇନିଂ ଟେବୁଲ ସେସନର ଅଭିନବ ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ଖାଇବା ଟେବୁଲରେ ବି ଭିନ୍ନ ଭିନ୍ନ ବିଷୟ ଭିତ୍ତିକ ଆଲୋଚନା ହେବ। ଯାହାଦ୍ୱାରା ଆଭ୍ୟନ୍ତରୀଣ ସୁରକ୍ଷା, ଜରୁରିକାଳୀନ ସ୍ଥିତିରେ ଆଇନଶୃଙ୍ଖଳା ବଜାୟ ରଖିବା ଭଳି ସ୍ଥିତି ନେଇ ବରିଷ୍ଠ ପୁଲିସ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ବହୁମୂଲ୍ୟ ମତ ରଖିବାର ସୁଯୋଗ ପାଇପାରିବେ।

ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦର ମୁକାବିଲା ସହ ସାଇବର ସୁରକ୍ଷା, ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ, ନିଶା କାରବାର ରୋକିବା, ମହିଳା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ନୂଆ ଅପରାଧ ଆଇନର କାର୍ଯ୍ୟକାରିତା ଭଳି ବିଷୟ ଉପରେ ଚାଲିବ ମାନସ ମନ୍ଥନ। ବିଶେଷ କରି ସମୟ ସହ ତାଳ ଦେଇ ଅପରାଧ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାରକୁ ନେଇ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହେବ।ସୂଚନାଯୋଗ୍ୟ, ୨୦୧୪ ପରଠାରୁ ପୋଲିସ ଡିଜିପି ଓ ଆଇଜି ସମ୍ମିଳନୀ ସାରା ଦେଶରେ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରି ଆସୁଛନ୍ତି। ଏହା ପୂର୍ବରୁ ଆସାମର ଗୁଆହାଟୀ, କଚ୍ଛର ରଣ (ଗୁଜରାଟ), ହାଇଦ୍ରାବାଦ (ତେଲଙ୍ଗାନା), ଟେକନପୁର (ଗ୍ବାଲିୟର, ମଧ୍ୟପ୍ରଦେଶ), ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ (କେୱଡିଆ, ଗୁଜରାଟ), ପୁଣେ (ମହାରାଷ୍ଟ୍ର), ଲକ୍ଷ୍ନୌ (ଉତ୍ତରପ୍ରଦେଶ), ନୂଆଦିଲ୍ଲୀ ଏବଂ ଜୟପୁର (ରାଜସ୍ଥାନ)ରେ ଅନୁଷ୍ଠିତ ହୋଇଛି। ଏହି ପରମ୍ପରାକୁ ବଜାୟ ରଖି ଭୁବନେଶ୍ୱର (ଓଡ଼ିଶା)ଠାରେ ଏଥର ୫୯ତମ ପୋଲିସ ଡିଜିପି ଓ ଆଇଜି ସମ୍ମିଳନୀ ୨୦୨୪ ଆୟୋଜନ କରାଯାଉଛି।

ଅଧିକ ପଢନ୍ତୁ