ମିଳିଗଲା ହଜିଲା ଗାଡି । ଥାନାରେ ରଖିଦିଆଯାଇଛି ଚୋରି ଗାଡି ଆଉ ତା ସାଙ୍ଗକୁ ମିଳିଛି ଏକ ଚିଠି । ତେବେ କିଛି ଦିନ ତଳେ ଉଦଳାର ଏକ ବାହାଘରରୁ ଝିଅର ଦାଦାଙ୍କ ଗାଡି ଚୋରି ହୋଇଥିଲା। ପୋଲିସ ଅନେକ ଖୋଜାଖୋଜି ପରେ ମଧ୍ୟ ଚୋରର ସନ୍ଧାନ ପାଇନଥିଲା।ହେଲେ ଏବେ ଗାଡି ଆସି ଥାନାରେ ପହଞ୍ଚିଛି। ଆଉ ଚୋରି ଗାଡି ସାଙ୍ଗରେ ଏକ ଚିଠି ମଧ୍ୟ ମିଳିଛି। ସୂଚନାନୁସାରେ, ଚୋରି ହୋଇଥିବା ଗାଡିକୁ ଥାନାରେ ଆଣି ରଖି ଦିଆଯାଇଛି। ଆଉ ଗାଡି ସହ ଏକ ଚିଠି ମଧ୍ୟ ପାଖରେ ରଖିଦିଆଯାଇଛି। ସବୁଠୁ ଆଶ୍ଚର୍ଯ୍ୟକଥା ଲୁଟେରା ନୁହେଁ ଲୁଟରାଙ୍କ ବାପା ଗାଡି ରଖିଥିବା କଥା କହିବା ସହ ନିଜେ ଚିଠି ମାଧ୍ୟମରେ ଭୂଲ୍ ମାଗିଛନ୍ତି । ତାଙ୍କ ପୁଅକୁ କିଛି ନ କରିବାକୁ ଉକ୍ତ ଚିଠିରେ ବାପା ଅନୁରୋଧ କରିଛନ୍ତି।
ହେଲେ ଥାନାରେ ଲାଗିଥିବା ସିସିଟିଭିରେ କିଛି ରେକର୍ଡ ନଥିବା ଜଣାପଡିଛି । ସୂଚନାମୁତାବକ ଉଦଳା ଥାନା ବୈରାଟପୁର ଗାଁରେ ଏକ ବାହାଘର ହେଉଥିବାବେଳେ ଝିଅ ଘରୁ ବାଇକ୍ ଚୋରି ହୋଇଥିଲା । ଗାଁର ସୁଶୀଲ ମିଶ୍ରଙ୍କ ଝିଅ ବାହାଘର ହେଉଥିଲା। ତେବେ ରେମୁଣା ଅଞ୍ଚଳରୁ ବରପକ୍ଷ ଆସିବା ସହିତ ତାଙ୍କ କ୍ୟାମେରା ମ୍ୟାନ ମଧ୍ୟ ଆସିଥିଲେ । ବରପକ୍ଷ ପହଞ୍ଚିବା ପରେ କନିଆର ଦାଦା ସ୍ୱରୂପ ମହାପାତ୍ର ବରପକ୍ଷଙ୍କ ପାଇଁ ଜଳଖିଆ ନେଇ ଯିବାକୁ ବାହାରିବା ସମୟରେ ତାଙ୍କ ବାଇକ ପାଇ ନଥିଲେ । ବହୁ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ବାଇକ ନ ପାଇବାରୁ ଶେଷରେ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଯାହାକୁ ଦେଖିବା ପରେ ବରପକ୍ଷ କ୍ୟାମେରା ମ୍ୟାନ ପିଲାଙ୍କ ମଧ୍ୟରୁ ଜଣେ ଯୁବକ ବାଇକ ଲକ୍ ଭାଙ୍ଗି ବାଇକ ନେଇ ଫେରାର ମାରୁଥିବା ଦେଖିବାକୁ ପାଇଥିଲେ ।