
ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶାର ଅନ୍ୟତମ ବରପୁତ୍ର, ବହୁମୁଖୀ ପ୍ରତିଭା,ମହାନ ନାଟ୍ୟକାର ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ୧୪୧ତମ ଜନ୍ମ ଜୟନ୍ତୀ ‘ମୈତ୍ରୀ ଯୁବ ସଂସଦ’, ‘ନାଟ୍ୟଧାରା ‘ ଏବଂ ‘ସଙ୍ଗୀତଧାରା’ର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ପ୍ରତ୍ୟୁଷରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯିବା ସହିତ ସ୍ବର୍ଗତ ନାଟ୍ୟରଥିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରାଯାଇଥିଲା।ସ୍ୱର୍ଗତ ଗୋବିନ୍ଦ ଶୂରଦେଓ ନାଟକ ରଚନା ସହିତ ଚିତ୍ରସଜ୍ଜା,ମଞ୍ଚସଜ୍ଜା,ନାଟ୍ୟ ନିର୍ଦ୍ଦେଶନା, ଗୀତିକାର, ସଙ୍ଗୀତ ସଂଯୋଜନା, କଣ୍ଠଦାନ,ଅଭିନୟ ତଥା ଅଭିନେତା ମାନଙ୍କର ବେଶସଜ୍ଜା ଆଦି ନାଟକର ବିଭିନ୍ନ ବିଭାଗରେ ବିଚକ୍ଷଣ ଭାବେ ସଫଳ ହୋଇ ସୃଷ୍ଟି କରିଥିଲେ କିମ୍ବଦନ୍ତୀ । ସେହିପରି ରାସଲୀଳାକୁ ଅତ୍ୟାଧୁନିକ ନାଟ୍ୟରୂପ ଦେବାରେ ନାଟ୍ୟରଥି ଗୋବିନ୍ଦ ଶୂରଦେଓ ହିଁ ଓଡ଼ିଶାରେ ପ୍ରଥମ ଥିଲେ । ଏହିପରି ଜଣେ ବହୁମୂଖୀ ପ୍ରତିଭା ଯେ କେବଳ ନାଟ୍ୟଜଗତରେ ପ୍ରସିଦ୍ଧି ଲାଭ କରିଥିଲେ ତା ନୁହେଁ ଓଡ଼ିଶାର ଜାତୀୟ ଆନ୍ଦୋଳନରେ ଭାଗ ନେଇ ରଚନା କରିଥଲେ ଅନେକ ଦେଶାତ୍ମବୋଧ ସଙ୍ଗୀତ । ଏପରିକି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସ୍ୱର୍ଗତ ଶୂରଦେଓଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୁର୍ଣ୍ଣ ଥିଲା ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ,ସାହିତ୍ୟିକ ନିର୍ମଳ ଚନ୍ଦ୍ର ଶୂରଦେଓ,କବି ଅଶୋକ ମଲ୍ଲ, ଯୁବ ମୈତ୍ରୀ ସଂସଦ ସଂପାଦକ ପ୍ରଦୀପ କୁମାର ସାହୁ, ଲକ୍ଷ୍ମୀଧର ସାହୁ, ଗୋକୁଳ ଷଡ଼ଙ୍ଗୀ, ପ୍ରଫୁଲ୍ଲ କୁମାର ନାୟକଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦାନ କରି ନାଟ୍ୟରଥିଙ୍କୁ ସସମ୍ମାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।