ଯୁଆଡ଼େ ଆଖି ବୁଲାଇଲେ, ପାଣି ଉପରେ ଭାସୁଛନ୍ତି ହଜାର ହଜାର ମଲା ମାଛ । ଅନୁଗୁଳ ଜିଲ୍ଲା ପରଙ୍ଗ ଡ୍ୟାମରେ ଆଜି ବି ପଡ଼ିଛି ମାଛ ମଡ଼କ ।। ଏପଟେ ପାଣିର ରଙ୍ଗ ବି ଏମିତି କଳା ପଡ଼ିଛି ଯେ ଦେଖିଲେ ଭୟ ଲାଗୁଛି ।ମାଛ ମଡକ ଦେଖି ଚିନ୍ତାରେ ନିଲାମରେ ନେଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ପରଙ୍ଗ ପଞ୍ଚାୟତର ବ୍ରାହ୍ମଣୀ ଦେବୀ ସ୍ବୟଂ ସହାୟକ ଗୋଷ୍ଠୀ ଋଣ କରି ପରଙ୍ଗ ଡ୍ୟାମରେ ୬୦ ଲକ୍ଷ ଟଙ୍କାର ମାଛ ଜାଆଁଳ ଛାଡିଥିଲେ । ଲକ୍ଷ୍ୟ ଥିଲା ଦି ପଇସା ରୋଜଗାର ହେବ, ଗୁଜୁରାଣ ମେଣ୍ଟାଇବା ସହ ନିଜେ ସ୍ବାବଲମ୍ବୀ ହେବେ । କିନ୍ତୁ ଦାଉ ସାଧିଲା କଳ କାରଖାନାର କେମିକାଲ ପାଣି । ନିକଟରେ ଥିବା ଏକ ଘରୋଇ ଇସ୍ପାତ କମ୍ପାନୀର କାରଖାନାରୁ ବାହାରୁଥିବା ବର୍ଜ୍ୟ ବସ୍ତୁ ଓ କେମିକାଲକୁ ଡ୍ୟାମ ପାଣିରେ ଛାଡ଼ିବା ଦ୍ବାରା ମାଛ ମରୁଥିବା ଅଭିଯୋଗ ଆଣିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ସ୍ଥାନୀୟ ସରପଞ୍ଚ । ଜିଲ୍ଲା ମତ୍ସ୍ୟ ଅଧିକାରୀ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଗୁଳ ଆଞ୍ଚଳିକ କାର୍ଯ୍ୟାଳୟର ଏକ ଟିମ୍ ଯାଇ ଡ୍ୟାମକୁ ଯାଇ ପାଣି ଓ ମାଛ ନମୁନା ସଂଗ୍ରହ କରିଛନ୍ତି ।
ଜିଲ୍ଲା ମତ୍ସ୍ୟ ଅଧିକାରୀ ଡ୍ୟାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ କହିଛନ୍ତି, ଡ୍ୟାମରେ ରୋହି, ଭାକୁଡ଼ ସମେତ ବିଭିନ୍ନ ପ୍ରଜାତିର ମାଛ ମରି ଭାସୁଛନ୍ତି । ପାଣିରୁ ଭୟଙ୍କର ଦୁର୍ଗନ୍ଧ ବାହାରୁଛି । ମାଛଙ୍କ ଲାଗି କ୍ଷତିକାରକ ହେବାଭଳି କିଛି ଜିନିଷ ପାଣିରେ ମାତ୍ରାଧିକ ମିଶିଥିବାରୁ ଏଭଳି ମାଛ ମଡ଼କ ପଡ଼ିଛି । ମାଛ ଓ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ଭୁବନେଶ୍ବରର ଏକ ଲାବୋରେଟୋରିକୁ ପଠାଯାଇଛି ।
