ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିବା ପରେ ଗୋଟିଏ ଦିନ ପାଗ ଶୁଖଲା ରହିଥିବାବେଳେ ପୁଣି ବର୍ଷା ଆସୁଛି। ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା ୨୮ ଓ ୨୯ ତାରିଖରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର। ବିଶେଷ କରି ବର୍ଷା ଉତ୍ତର-ପଶ୍ଚିମ ଓଡ଼ିଶା ହେବା ନେଇ ଆକଳନ ହୋଇଛି । ପଶ୍ଚିମାଝଡ଼ ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି । ଅଦିନିଆ ବର୍ଷାକୁ ନେଇ ଚାଷୀକୂଳ ପୁଣି ଥରେ ଛାନିଆ ହୋଇପଡ଼ିଛି ।
ବଡ଼ ବର୍ଷା ସମ୍ଭାବନା କମ୍ ଥିଲେ ମଧ୍ୟ ଲଗାତାର ଅଦିନିଆ ବର୍ଷାକୁ ନେଇ ଫସଲ ବରବାଦ ହୋଇପଡ଼ିଛି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ । ଏମିତିରେ ପୁଣି ବର୍ଷା ସ୍ଥିତିକୁ ଆହୁରି ବିଗାଡ଼ି ପାରେ । ଅନ୍ୟପକ୍ଷରେ ଜାନୁଆରୀ ପ୍ରଥମ ସପ୍ତାହରେ ଆଉ ଏକ ଲଘୁଚାପ ସମ୍ଭାବନା ଥିବା ନେଇ ବିଶେଷଜ୍ଞ ପୂର୍ବାନୁମାନ କଲେଣି । ଉଲ୍ଲେଖଯୋଗ୍ୟ, ଦୁଇ ଦିନ ତଳେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିଲା। ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିଲା। ଫଳରେ ଚାଷୀଙ୍କର ବର୍ଷକର ଅମଳ ପାଣିରେ ପଡ଼ି ନଷ୍ଟ ହୋଇଯାଇଥିଲା।