ଜମ୍ମୁ କଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ୫ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହି ଆକ୍ରମଣରେ ୩ ଜଣ ପାକିସ୍ତାନୀ ନାଗରିକ ଏବଂ ୨ ଜମ୍ମୁ କଶ୍ମୀର ବାସିନ୍ଦା ଥିବା ଜଣାପଡ଼ିଛି। ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି ଅଞ୍ଚଳରେ ହୋଇଥିବା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କୁ ଧରିବା ପାଇଁ କର୍ତ୍ତୃପକ୍ଷ ସେମାନଙ୍କର ପ୍ରୟାସକୁ ଜୋରଦାର କରିଛନ୍ତି। ଏହି ସମୟରେ ଜମ୍ମୁ କାଶ୍ମୀର ପୋଲିସ ଏକ ବଡ଼ ଘୋଷଣା କରିଛି। ଅନନ୍ତନାଗ ପୋଲିସ ବୁଧବାର (୨୩ ଏପ୍ରିଲ, ୨୦୨୫) ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିଷୟରେ ସୂଚନା ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି।
ଅନନ୍ତନାଗ ପୋଲିସ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛି ଯେ, ‘ଏହି କାପୁରୁଷ କାର୍ଯ୍ୟରେ ସାମିଲ ଆତଙ୍କବାଦୀଙ୍କ ସୂଚନା ଦେଲେ ଉକ୍ତ ବ୍ୟକ୍ତିଙ୍କୁ ୨୦ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ।’ ପୋଲିସ ଏହା ମଧ୍ୟ କହିଛି ଯେ ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ।ଏହା ସହିତ, ସୂଚନା ଦେବା ପାଇଁ ନମ୍ବରଗୁଡ଼ିକ ମଧ୍ୟ ସେୟାର କରାଯାଇଛି। ଯଦି କେହି ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିଷୟରେ କୌଣସି ସୂଚନା ପାଆନ୍ତି, ତେବେ ସେମାନେ 9596777666 – SSP ଅନନ୍ତନାଗ ଏବଂ 9596777669 PCR ଅନନ୍ତନାଗ ସହିତ ଯୋଗାଯୋଗ କରିପାରିବେ।