
ନୟାଗଡ଼,(ଓଡ଼ିଶା ଦର୍ପଣ): ପ୍ରେସରୁମ ଖୋଲିବା ଦାବି ନେଇ ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତୀକ ଧାରଣା ଦିଆ ଯାଇଥିଲା। ପୂର୍ବାହ୍ନ ସାଢେ ୧୦ଟା ସମୟରୁ ଆନ୍ଦୋଳନ ଚାଲୁ ରହିଥିବା ବେଳେ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ କୌଣସି ଅଧିକାରୀ ଓ ପଦାଧିକାରୀ ଆନ୍ଦୋଳନ ସ୍ଥଳକୁ ଆସିନଥିଲେ। ଅନ୍ୟପକ୍ଷେ ଜିଲାପାଳଙ୍କ କାର୍ଯ୍ୟଳୟକୁ ଜିଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ବୁଧବାର ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ଆସି ନଥିଲେ। ଉପ ଜିଲାପାଳ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ନୟାଗଡ଼ ତହସିଲଦାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସଂଗେ ସଂଗେ ପଳାଇ ଯାଇଥିଲେ। ଶେଷରେ ସାମ୍ବାଦିକ ସଙ୍ଘ ପକ୍ଷରୁ ଅପରାହ୍ନ ୧ଟାରେ ଧାରଣା ପ୍ରତ୍ୟାହୃତ କରାଯାଇଥିଲା। ତେବେ ଜିଲାପାଳ ଆନ୍ଦୋଳନକୁ ଡରି କାର୍ଯ୍ୟଳୟକୁ ଆସି ନଥିବାର ପ୍ରତିବାଦରେ ସଂଘ ଜିଲାସ୍ତରୀୟ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ଅପ୍ରେଲ ୯ ସକାଳ ୯ ଟା ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲାର ସବୁ ସାମ୍ବାଦିକ ଅନର୍ଦ୍ଦିଷ୍ଟ ସମୟ ପାଇଁ ଧାରଣା ଦେବେ ବୋଲି ଅନୁରୂପ ଭାବେ ସ୍ଥିର କରିଛନ୍ତି। ଆନ୍ଦୋଳନରେ ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ନିଶିକାନ୍ତ ରଥ, ସୁବାସ ମହାପାତ୍ର, ସନ୍ଦିପ ଲେଙ୍କା,ଶୁଭେନ୍ଦୁ ଦାସ,ଜୟେନ୍ଦ୍ର ବେହେରା, ସତ୍ୟ ନାରାୟଣ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ଗୋକୁଳ କୁମାର ଷଡ଼ଙ୍ଗୀ, ରଞ୍ଜନକୁମାର ବେହେରା, ବିକ୍ରମ ସ୍ୱାଇଁ, ଜିତୁନ କୁମାର ମହାପାତ୍ର, ଦୀପକ ନାୟକ, ବିଭୁତି ଭୁଷଣ ପଟ୍ଟନାୟକ, ଶିବ ନାରାୟଣ ଦାସ,ଯଯାତି କେଶରୀ ମହାପାତ୍ର, ଏମ. ଆଉରଙ୍ଗଜେବ ପ୍ରମୁଖ ସାମିଲ ହୋଇଥିଲେ। ଏ ନେଇ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ କୁହନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ପାଇଁ ଆମେ ସାମ୍ବାଦିକ ମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେବା ସହ ଭେଟିଥିଲୁ। ତେବେ ଜିଲ୍ଲାପାଳଙ୍କ ବ୍ୟବହାର ଆମକୁ ଭଲ ଲାଗି ନଥିଲା। ଶେଷରେ ଆମେ ଆଜି ଆନ୍ଦୋଳନ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲୁ। ହେଲେ ପ୍ରତୀକ ଧାରଣା ନେଇ ଜିଲାପାଳ ଅବଗତ ଥିଲେ ବି ଜିଲ୍ଲାପାଳ ଅଫିସକୁ ଆସିଲେନି କି ଆମ୍ଭ ଧାରଣା ସ୍ଥଳକୁ ଆସିଲେନି। ଆମେ ଅପରାହ୍ନ ୧ଟାରେ ଧାରଣା ପ୍ରତ୍ୟାହାର କଲୁ। ଅନ୍ୟପକ୍ଷେ ଅପ୍ରେଲ ୯ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲାର ସବୁ ସାମ୍ବାଦିକ ଓ ବିଜେପି, ବିଜେଡି, କଂଗ୍ରେସ ସମେତ ରାଜନୈତିକ ଦଳକୁ ସାମିଲ କରି ଆନ୍ଦୋଳନକୁ ତ୍ୱରାନ୍ବିତ କରିବୁ ବୋଲି କହିଛନ୍ତି।