ଐତିହାସିକ ବାଲିଯାତ୍ରାରେ ଗାଡି ପାର୍କିଂ ପ୍ରସଙ୍ଗକୁ ନେଇ ଜାରି ରହିଛି ଦ୍ଵନ୍ଦ୍ୱ। ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା ମାତ୍ର ଉପର ବାଲିଯାତ୍ରା ପଡିଆରେ ଗାଡି ପାର୍କିଂ ପ୍ରସଙ୍ଗକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ। ହାଇକୋର୍ଟରେ ସହର ସମସ୍ୟା ଶୁଣାଣି ବେଳେ ବାଲିଯାତ୍ରା ଆୟୋଜନକୁ ସଂପୂର୍ଣ୍ଣ ଭାବେ ତଳପଡ଼ିଆରେ କରିବା ପାଇଁ ପ୍ରସ୍ତାବ ଆସିବା ପରେ ଅଦାଲତ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ବୈଠକ ଡାକି ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହାକୁ ନେଇ ଗୋଟିଏ ପଟେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ଙ୍କ ନିର୍ଦ୍ଦେଶ ଓ ଅନ୍ୟପଟେ ବାଲିଯାତ୍ରାର ଐତିହାସିକ ପୃଷ୍ଠଭୂମି ବାଧକ ସାଜିବାକୁ ଯାଉଛି। ଏହାକୁ ନେଇ ବିଭିନ୍ନ ମହଲରେ ବିତର୍କ ବି ଆରମ୍ଭ ହୋଇଯାଇଛି। ତଥ୍ୟ ଅନୁଯାୟୀ ବର୍ଷ ବର୍ଷ ଧରି ବାଲିଯାତ୍ରା କେବଳ ଉପର ପଡ଼ିଆରେ ଆୟୋଜନ ହୋଇ ଆସୁଥିଲା। କଳେବର ବଢ଼ିବାରୁ ନବେ ଦଶକରେ ଆୟୋଜନ ତଳ ପଡ଼ିଆକୁ ସଂପ୍ରସାରଣ ହେଲା। ସେହି ସମୟରେ ତଳ ପଡ଼ିଆକୁ ବ୍ୟବସାୟୀ ଯିବା ପାଇଁ ଅମଙ୍ଗ ହେଉଥିବା ବେଳେ ସମୟକ୍ରମେ ତଳ ପଡ଼ିଆର ଆକର୍ଷଣ ବଢ଼ିଲା। କିନ୍ତୁ ଦୁଇ ପଡ଼ିଆରେ ବାଲିଯାତ୍ରା ଆୟୋଜନ ରିଂ ବନ୍ଧ ଓ ଦୁଇ ପଡ଼ିଆର ସଂଯୋଗ ସ୍ଥାନରେ ସାଂଘାତିକ ସ୍ଥିତି ସୃଷ୍ଟି କରିବା ସହିତ ଦଳାଚକଟା ଆଶଙ୍କା ବଢ଼ୁଛି ବୋଲି ହାଇକୋର୍ଟରେ ଶୁଣାଣି ସମୟରେ ଦର୍ଶାଯାଇଥିଲା। ତେଣୁ ଆୟୋଜନକୁ ବ୍ୟବସ୍ଥିତ କରିବା ଲାଗି ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ ଏବଂ ଉପର ପଡ଼ିଆରେ କେବଳ ଗାଡ଼ି ପାର୍କିଂ ପାଇଁ ପ୍ରସ୍ତାବ ରହିଛି। ଆସନ୍ତା ସୋମବାର ଏନେଇ ବିଧିବଦ୍ଧ ନିଷ୍ପତି ହେବ।
ହାଇକୋର୍ଟଙ୍କ ନିର୍ଦେଶ ପରିପ୍ରେକ୍ଷୀରେରେ କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଦ୍ୱନ୍ଦ୍ୱର ସମାଧାନ ହେବ। ଏନେଇ ସ୍ପଷ୍ଟ କରିଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ।ବ୍ୟବସାୟୀ, ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯିବ। ଏନଜିଟି ଗାଇଡ଼ଲାଇନ ଅନୁସାରେ ତଳ ପଡିଆର ୩୪ ଏକର ଜମିରେ ଅନୁଷ୍ଠିତ ହେବ ବାଲିଯାତ୍ରା। ଯଦି ହାଇକୋର୍ଟଙ୍କ ନିଷ୍ପତି ବଳବତ୍ତର ରୁହେ ତେବେ ଉପର ବାଲିଯାତ୍ରା ପଡିଆରେ ପ୍ରତିବର୍ଷ ୬୦୦ରୁ ଅଧିକ ବ୍ୟବସାୟୀ ପକାଉଥିବା ଷ୍ଟଲ କେଉଁଟିକୁ ସ୍ଥାନାନ୍ତର ହେବ ସେନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ୨୪ ଏକର ଜମିରେ ଷ୍ଟଲ ଓ ଅନ୍ୟ ୧୦ ଏକର ଜମିରେ କଟକ ଇନ କଟକରେ ଅନୁଷ୍ଠିତ ହେବ ବିଭିନ୍ନ କାର୍ଯ୍ୟକ୍ରମ । ତେବେ ଏହି ସୀମିତ ଜମିରେ ୧୩୦୦ରୁ ଅଧିକ ବ୍ୟବସାୟୀ କିପରି ବ୍ୟବସାୟ କରିବେ ସେନେଇ ମଧ୍ୟ ଚିନ୍ତା ଉପୁଜିଛି।