ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନ(ଅଶୋକସ୍ତମ୍ଭ)କୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ। ଯଦି କୌଣସିଠାରେ ଏହାର ଅପବ୍ୟବହାର କରାଯାଉଥିବ ତେବେ ସେଠାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମସଚିବ ଜି. ପାର୍ଥସାରଥି ମୁଖ୍ୟଶାସନ ସଚିବଙ୍କୁ ଅବଗତ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏନେଇ ରାଜ୍ୟ ସରକାରଙ୍କ ଗୃହବିଭାଗ ଯୁଗ୍ମସଚିବ ଶରତ ଚନ୍ଦ୍ର ମାରାଣ୍ଡି ୨୯ ମାର୍ଚ୍ଚରେ ସବୁ ଆରଡିସି ଓ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଥିବାବେଳେ, ଏପ୍ରିଲ ୧୭ରେ ଜଳସମ୍ପଦ ବିଭାଗ ପକ୍ଷରୁ ଅଧସ୍ତନ ଅଧିକାରୀଙ୍କୁ ପତ୍ର ଲେଖି ଅବଗତ କରାଯାଇଛି ।ଭାରତର ଜାତୀୟ ଚିହ୍ନ ଆଇନ-୨୦୦୫ ଏବଂ ନିୟମ-୨୦୦୭ ଓ ସଂଶୋଧନ ଆଇନ-୨୦୧୦ ଅନୁଯାୟୀ ଜାତୀୟ ଚିହ୍ନ ସରକାରୀସ୍ତରରେ ବ୍ୟବହାର ହୋଇପାରିବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମସଚିବ ପାର୍ଥସାରଥି ପତ୍ରରେ ଦର୍ଶାଇଥିଲେ,
ଭାରତର ଜାତୀୟ ଚିହ୍ନ ତିନୋଟି ଅଶୋକସ୍ତମ୍ଭ ସହିତ ଅଶୋକଚକ୍ର ଓ ସତ୍ୟମେବ ଜୟତେ(ଦେବନାଗରୀ ଭାଷା) ନିର୍ଦ୍ଦିଷ୍ଟ ଭାବେ ସରକାରଙ୍କ ନିୟମ ଅନୁଯାୟୀ ରହିବା କଥା, ହେଲେ କେତେଜଣ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଏହାର ଉଲ୍ଲଂଘନ କରୁଥିବା ନଜରକୁ ଆସିଛି। କେତେକ ସ୍ଥାନରେ ଅଶୋକସ୍ତମ୍ଭ ତଳେ ସତ୍ୟମେବ ଜୟତେ ଦେବନାଗରୀ ଭାଷାରେ ଉଲ୍ଲେଖ ରହୁନାହଁ, ଯାହା କି ଜାତୀୟ ଚିହ୍ନ ପ୍ରତି ଅସମ୍ମାନ ହେଉଛି । ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ନିୟମକୁ ଠିକଣା ଭାବେ ପାଳନ କରିବା ଲାଗି ପତ୍ରରେ ଉଲ୍ଲେଖ ରହିଛି ।