ମହାକୁମ୍ଭରେ ଓଡ଼ିଆ ଭାଷା: ଷ୍ଟେସନରେ ସ୍ୱତନ୍ତ୍ର ଓଡ଼ିଆ କିଓସ୍କ

ମହାକୁମ୍ଭ ମେଳା ପାଇଁ ପ୍ରୟାଗରାଜ ରେଳଷ୍ଟେସନରେ ଡିଜିଟାଲ ସୁବିଧା ଉପଲବ୍ଧ କରାଯାଇଛି। ବିନା କାହାର ସହାୟତାରେ ଶ୍ରଦ୍ଧାଳୁ ଡିଜିଟାଲ କିଓସ୍କ ମାଧ୍ୟମରେ ସମ୍ପୂର୍ଣ୍ଣ ସୁବିଧା ପାଇବେ। ତା ପୁଣି ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷାରେ। କେବଳ ସେତିକି ନୁହେଁ, ଓଡ଼ିଆ ସମେତ ଦେଶର ୧୫ଟି ଭାଷାରେ ହେଲ୍‌ପ ଲାଇନ ନମ୍ବର ଉପଲବ୍ଧ କରାଯିବ। ଯାହାର କୌଣସି ଦ୍ୱନ୍ଦ୍ବ ଥିବ ଓଡ଼ିଆ ଭାଷାରେ ଫୋନ କରି ବୁଝିପାରିବେ। ଭିଡ଼ ନିୟନ୍ତ୍ରଣ କରିବାକୁ ରେଳ ଷ୍ଟେସନରେ ଏନକ୍ଲୋଜର ନିର୍ମାଣ ହୋଇଛି। ସହରର କୌଣସି ସ୍ଥାନରେ ଅଧିକ ଭିଡ ହେଲେ କିମ୍ବା ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଲେ ଶ୍ରଦ୍ଧାଳୁଙ୍କୁ ଏନକ୍ଲୋଜର ନିକଟରେ ଅଟକାଯିବ। ମହାକୁମ୍ଭ ସମୟରେ ଜିଲ୍ଲାର ସମସ୍ତ ଷ୍ଟେସନରେ ବହୁ ସଂଖ୍ୟାରେ ଯାତ୍ରୀ ରହିବେ।

ଏହାକୁ ପରିଚାଳନା କରିବା ପାଇଁ ଷ୍ଟେସନରେ ନୂତନ ପ୍ଲାଟଫର୍ମ ସ୍ଥାପନ କରାଯାଉଛି ଏବଂ ପ୍ରୟାଗ ମାର୍ଗରେ ନୂତନ ରେଳ ଲାଇନ ମଧ୍ୟ ରଖାଯାଉଛି। ଯାତ୍ରୀ ଆଶ୍ରୟସ୍ଥଳୀ ଓ ପ୍ରତୀକ୍ଷା କକ୍ଷ ନିର୍ମାଣ କରାଯାଇଛି। କୁମ୍ଭ ପାଇଁ ଏକ ବିସ୍ତୃତ ବ୍ଲୁ ପ୍ରିଣ୍ଟ ସୃଷ୍ଟି କରି ଭାରତୀୟ ରେଳ ୯୩୩.୬୨ କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମିକୁ ମଜଭୂତ କରିଥିଲା। ଏହା ସହିତ ୪୯୪.୯୦ କୋଟି ଟଙ୍କା ବ୍ୟୟରେ ଯାତ୍ରୀ ସୁବିଧା ବୃଦ୍ଧି କରାଯାଇଥିଲା ଏବଂ ୪୩୮.୭୨ କୋଟି ଟଙ୍କା ବ୍ୟୟରେ ପରିବହନକୁ ସହଜ କରିବା ପାଇଁ ବ୍ରିଜ ଓ ବ୍ରିଜ ଉପରେ ରାସ୍ତା ନିର୍ମାଣ କରାଯାଇଥିଲା। ଗଙ୍ଗା ଉପରେ ଏକ ନୂତନ ସେତୁ ମଧ୍ୟ ନିର୍ମାଣ ହୋଇଛି। ମହାକୁମ୍ଭ ସମୟରେ କୋଟି କୋଟି ଯାତ୍ରୀ ପରିବହନ ପାଇଁ ୩୧୩୪ଟି ସ୍ୱତନ୍ତ୍ର ଟ୍ରେନ୍ ସମେତ ୧୩ ହଜାରରୁ ଅଧିକ ଟ୍ରେନ୍ ଚଳାଚଳ କରିବ। ଯାତ୍ରୀମାନଙ୍କୁ ଦ୍ରୁତ ଗତିରେ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କର ଯାତ୍ରାକୁ ସହଜ କରିବାରେ ଏହି ଟ୍ରେନ୍‌ଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଅଧିକ ପଢନ୍ତୁ