ମେଗା ଆଇଟି ହବ୍ ହେବ ଓଡ଼ିଶା

ଆସନ୍ତା ଦୁଇରୁ ତିନି ବର୍ଷ ମଧ୍ୟରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି)ର ଏକ ବଡ଼ ହବ୍‌ରେ ପରିଣତ କରାଯିବ, ଗୁରୁବାର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ସହ ଓଡ଼ିଶାରେ ରେଳବାଇ ଓ ଆଇଟି କ୍ଷେତ୍ରରେ ବିକାଶ ଦିଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଓଡ଼ିଶାକୁ ଏକ ମେଗା ଆଇଟି ହବରେ ପରିଣତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଓଡ଼ିଶାକୁ ମେଗା ଆଇଟି ହବରେ ପରିଣତ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି । ଓଡ଼ିଶାରେ ଆଇଟି ଷ୍ଟାର୍ଟଅପର ବିକାଶ ପାଇଁ ୪ଟି ବୈଷୟିକ ଅନୁଷ୍ଠାନରେ ‘ଚିପ୍ ଟୁ ଷ୍ଟାର୍ଟଅପ୍‌’କାର୍ଯ୍ୟକ୍ରମ କରାଯାଉଛି । ଏହି ଅନୁଷ୍ଠାନଗୁଡ଼ିକ ହେଉଛି- ଆଇଆଇଟି ଭୁବନେଶ୍ୱର, ଏନଆଇଟି ରାଉରକେଲା, ଆଆଇଆଇଟି ଭୁବନେଶ୍ୱର ଓ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ବ୍ରହ୍ମପୁର ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ।କେନ୍ଦ୍ରମନ୍ତ୍ରୀ ଆହୁରି ପ୍ରକାଶ କରିଛନ୍ତି ଯେ ଭାରତୀୟ ରେଳ ପ୍ରୟାଗରାଜରେ ଆଗାମୀ ମହାକୁମ୍ଭ-୨୦୨୫ ପାଇଁ ଓଡ଼ିଶାରୁ ଉତ୍ତର ପ୍ରଦେଶକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବ। “ଆମେ ଖୁବ୍ ଶୀଘ୍ର ଏ ବିଷୟରେ ଓଡ଼ିଶା ସରକାରଙ୍କୁ ଜଣାଇବୁ,” ସେ କହିଛନ୍ତି।

ଅଧିକ ପଢନ୍ତୁ