ବ୍ୟବସାୟରେ ଲାଞ୍ଚ ଟଙ୍କା ଲଗାଉଥିଲେ ସରକାରୀ ବାବୁ । ଯାଜପୁର ଜାରକା ଆର୍ଡି ଡିଭିଜନର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ଘରେ ଚଢ଼ାଉ ବେଳେ ଏସବୁ କାରନାମା ପଦାକୁ ଆସିଛି । ଭୁବନେଶ୍ୱର ସଦର ବାଲିଅନ୍ତା ଥାନା ବେଣ୍ଟପୁର ଗାଁରେ ଭୀମସେନଙ୍କ ଘର । ତାଙ୍କର ଆଲିସାନ ଘର ସାଙ୍ଗକୁ ସିଲିଂ ଦେଖି ଭିଜିଲାନ୍ସ ଟେରା ।ଗତକାଲି ସନ୍ଧ୍ୟାରେ କଟକ ଟାଙ୍ଗୀ ସ୍ଥିତ ଟୋଲ ପ୍ଲାଜା ନିକଟରୁ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡିଥିଲେ ଭୀମସେନ । ଜଣେ ଠିକାଦାରଙ୍କ ଠାରୁ ୨ଲକ୍ଷ ୩ ହଜାର ୯୪୦ଟଙ୍କା ଲାଞ୍ଚ ନେଉଥିଲେ । ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧୀନ କୁଆଖିଆ ସେକ୍ସନର ଆର.ଡି. ଜେ.ଇ. ଭୀମସେନ ମହାରଣାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିବା ପରେ ତାଙ୍କୁ ଜେରା କରାଯାଇଥିଲା ।
ଗତକାଲି ରାତିରେ କୁଆଖିଆ ସେକ୍ସନ ଅଫିସ ଉପରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଏହି ସମୟରେ ବିଭିନ୍ନ ବିଲ, କାର୍ଯ୍ୟାଦେଶ ଓ ଟେଣ୍ଡର ଆଦି କାଗଜପତ୍ର ଯାଞ୍ଚ କରାଯାଇଥିଲା । ଆରଡି କୁଆଖିଆ ସେକ୍ସନ ଅଫିସରେ ଭିଜିଲାନ୍ସ ଟିମ୍ ଗତକାଲି ଚଢାଉ କରିଥିଲା । ଆଜି ଭୁବନେଶ୍ୱର ସ୍ଥିତ ଘର ଉପରେ ରେଡ ଜାରି ରହିଥିବା ସୂଚନା ମିଳିଛି । ଠିକାଦାରଙ୍କ ଠାରୁ ଲାଞ୍ଚ ନେଇ ଯାଉଥିବା ବେଳେ ଟାଙ୍ଗୀ ଟୋଲ୍ଗେଟ୍ ନିକଟରେ ଧରାପଡ଼ିଥିଲେ ଭୀମସେନ । ବିଳାସପୂର୍ଣ୍ଣ ଘର ରହିଥିବାବେଳେ ସେଠାରେ ହିଁ ତାଙ୍କର ଫର୍ଣ୍ଣିଚର ସୋ’ରୁମ୍ ବି ରହିଛି । କେବଳ ଏତିକି ନୁହେଁ ପାଣି ପାଉଚ୍ ଫ୍ୟାକ୍ଟ୍ରି ବି ରହିଛି । ଭୀମସେନଙ୍କ ଠାରୁ ନଗଦ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ଜବତ ହୋଇଛି । ଏହି ଟଙ୍କା କେଉଁଠାରୁ ଆଣୁଥିଲେ ତାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଭୀମସେନ ।